ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ପୋଲିସ କର୍ମଚାରୀ ମୃତ, ୩ ଗୁରୁତର

0 27

ଗଞ୍ଜାମ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡି. ଗୁହାରିଆପାଟ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡି. ଗୁହାରିଆପାଟ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆଉ ମାତ୍ର ୫୦ ମିଟର ଯାଇଥିଲେ ଘରେ ପହଞ୍ଚି ଯାଇଥାନ୍ତେ । ହେଲେ ବିଧି ର ବିଧାନ ଥିଲା ଅଲଗା । ଦୁଇ ବାଇକ ମଧ୍ୟରେ ଧକ୍କାରେ ଚାଲିଗଲା ଜୀବନ । ମୃତ ପୋଲିସ କର୍ମଚାରୀ ହେଉଛନ୍ତି ଛତ୍ରପୁର ଅଷ୍ଟମ ବାଟାଲିୟନର ସତ୍ୟ ଯାନୀ । ଡି.ଗୁହାରିଆପାଟ ଗ୍ରାମର ବାସିନ୍ଦା ସତ୍ୟ ଯାନୀ ସାନ ଘାଟି ଠାରେ ଏକ ଭୋଜିରେ ଯୋଗ ଦେବା ପରେ ସାଙ୍ଗ ଖଲ୍ଲିକୋଟ ଧରାକୋଟ ସାହିର ଲିଟୁ ଭୋଇଙ୍କ ସହିତ ଏକ ବାଇକ ଯୋଗେ ଘରକୁ ଫେରିଥିଲେ । ଘରେ ପହଞ୍ଚିବାକୁ ଆଉ ମାତ୍ର ୫୦ ମିଟର ଦୂରତା ଥିଲା । ରମ୍ଭା ଥାନା ଅନ୍ତର୍ଗତ ଡିଆଁ ଡେଇଁ ମଧୁରଚୁଆଁ ଗ୍ରାମର ଅଭି ନାହାକ ଓ ରାକେଶ ନାହାକ ଏକ ବାଇକ ଯୋଗେ ଡି.ଗୁହାରିଆପାଟରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ସେହି ଡି. ଗୁହାରିଆପାଟରୁ ମାତ୍ର ୫୦ ମିଟର ଦୂରରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପୋଲିସ କର୍ମଚାରୀ ସତ୍ୟ ଯାନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଲିଟୁ ଭୋଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ଅଭି ନାହାକ ଓ ରାକେଶ ନାହାକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ତେବେ ଦୀର୍ଘ ସମୟ ଧରି ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଦୁଇଟି ଘରୋଇ କାର ଯୋଗେ ଉଭୟଙ୍କୁ ବ୍ରହ୍ମପୁର ନିଆଯାଇଥିଲା । ଖବରପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସଆଇ ହିମାଂଶୁ ଶେଖର ପାତ୍ର, ଏ ଏସଆଇ ଅନିଲ ଶବର ଦୁର୍ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ମେଡ଼ିକାଲକୁ ପଠାଇଥିଲେ । ଏ ସମ୍ପର୍କରେ ମୃତ ସତ୍ୟ ଯାନୀଙ୍କ ପତ୍ନୀ ସୁକାନ୍ତି ଯାନୀ ସନ୍ଧ୍ୟାରେ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eighteen − three =