ବଡ଼ରାଉଳ ପୀଠରେ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା

0 191

ଦଶପଲ୍ଲା : – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଠାରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି । ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ, ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ବନବିଭାଗ ଜରିଆରେ ଏକ ପ୍ରତିନିଧିଦଳ ମା’ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଁଚିବା ପରେ ଜଗନ୍ନାଥ ଦଳ ତରଫରୁ ସନ୍ଥସେବକ ଲଳିତ ଦାସଙ୍କ ନେତୃତ୍ୱରେ ନାମ ସଂକୀର୍ତ୍ତନ ଦ୍ୱାରା ପାଛୋଟି ନେଇଥିଲେ । ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ, ବରିଷ୍ଠ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଠାରୁ ନୟାଗଡ ଡିଏଫଓ ଲାଗିମାଳ ଓ ମାହାର୍ଦ୍ଦ ଗ୍ରହଣ କରିଥିଲେ । ନୟାଗଡ ବନଖଣ୍ଡରୁ ରଥକାଠ କଟା ପର୍ବ ଆରମ୍ଭ ହୋଇ ଆଗାମୀ ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମେ ରଥକାଠ ପୁରୀରେ ପହଁଚିଥାଏ । ସରସ୍ୱତୀ ପୂଜା ଦିନ ରଥ ପାଇଁ ଓଟି ୧୨ଫୁଟ ଲମ୍ବର ଧଉରା କାଠ ଶ୍ରୀମନ୍ଦିର କାଯ୍ୟାଳୟଠାରେ ଅନୁକୂଳ ପୂଜା ହୋଇଥାଏ । ପରେ ଶ୍ରୀରାମ ନବମୀ ତିଥିରେ କଟକ ଖପୁରିଆ ସ୍ଥିତ କରତକଳରେ ବିଧିବଦ୍ଧ ଭାବେ ରଥକାଠ ଚିରଟ ଅନୁକୂଳ ହୁଏ । ପରେ ଅକ୍ଷୟ ତୃତୀୟା ତିଥିରେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ । ସାଧାରଣତଃ ପୂଜାର୍ଚ୍ଚନା ହୋମ କାର୍ଯ୍ୟ କରାଯାଇ ଠାକୁରାଣୀଙ୍କ ପୀଠରୁ ଆଜ୍ଞାମାଳ ନିଆଯାଇ ରଥ ନିର୍ମାଣ ନିମିତ ଧଉରା ୩୮୫ଖଣ୍ଡ, ଅସନ ୩୩୨ଖଣ୍ଡ, ସିମିଳି ୩ଖଣ୍ଡ, ଫାସୀ ୭୨ଖଣ୍ଡ ପ୍ରଜାତିର ରଥକାଠ ବୁଧବାର ଠାରୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ୩ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠ ଦରକାର ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୧୯ ଖଣ୍ଡ କାଠ ବଳକା ରହିଛି । ଚଳିତ ବର୍ଷ ଆଉ ୭୪୭ ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇ ଦିଆଯିବ ।
ମା’ ବଡ଼ରାଉଳଙ୍କ ପୀଠରେ ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଜିଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ପୌରହିତ କରିଥିବା ବେଳେ ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ ମଲ୍ଲିକ, ଗଣିଆ ରେଞ୍ଜର ସୋନାଲି ସିଓ, ଛାମୁଣ୍ଡିଆ ରେଞ୍ଜରଙ୍କ ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 + fourteen =