କ୍ଷେତ ମଜଦୁରଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କର: ବିକେଏମ୍‌ୟୁ

0 118

ପାରଳାଖେମୁଣ୍ଡି: ଦେଶର ସର୍ବ ପ୍ରଥମ କୃଷି ଓ ଗ୍ରାମିଣ ଶ୍ରମିକ ସଂଗଠନ “ଭାରତୀୟ କ୍ଷେତ ମଜଦୁର ୟୁନିୟନ’ର ୧୦ମ ରାଜ୍ୟ ସମ୍ମିଳନୀ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲଠାରେ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୧ଟାରେ ବିକେଏମୟୁର ଲଢୁଆ ଲାଲ ପତାକାକୁ ବିକେଏମୟୁ ରାଜ୍ୟ ସମ୍ପାଦକ କମ୍ରେଡ୍‌ ସୁର ଜେନା ଉତ୍ତୋଳନ କଲା ପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ଏହି ସମ୍ମିଳନୀର ଖୋଲା ଅଧିବେଶନ ବିକେଏମୟୁ ରାଜ୍ୟ ସଭାପତି କମ୍ରେଡ୍‌ ଜନ୍ନା ସୁବାସ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀକୁ ଭାରତୀୟ କ୍ଷେତ ମଜଦୁର ୟୁନିୟନର ସର୍ବ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍‌ ଗୁଲଜାର ସିଂହ ଗୋରିଆ ଉଦଘାଟନ କରି ସମଗ୍ର ଦେଶର କୃଷି କ୍ଷେତ୍ର ଗ୍ରାମୀଣ କ୍ଷେତ୍ରରେ ଶ୍ରମ କରି ଜୀବିକା ଅର୍ଜନ କରୁଥିବା ଖେତ ମଜଦୂରଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୭ଶହ ଟଙ୍କା, ଖେତ ମଜଦୁରଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଭୁମିହୀନ ଓ ଗୃହ ହୀନଙ୍କୁ ଘରଡିହ ଓ ଦଖଲ ସରକାରୀ ଜମି ଓ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ପ୍ରତ୍ୟେକ କ୍ଷେତ ମଜଦୁରଙ୍କ ଆବାସ ଗୃହ ନିର୍ମାଣ ପାଇଁ ଅନ୍ୟୁନ ୫ଲକ୍ଷ ଟଙ୍କାର ଆବାସ ସହାୟତା ପ୍ରଦାନ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଶହ ଦିନର ନିଶ୍ଚିତ କର୍ମ ନିଯୁକ୍ତି, ନାମ ମାତ୍ର, କ୍ଷୁଦ୍ର ଓ ମଧ୍ୟମ କୃଷକଙ୍କ କୃଷି କ୍ଷେତ୍ରର ଶ୍ରମକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମିଲ କରି କୃଷି ଓ କୃଷକଙ୍କୁ ସହାୟତା ପ୍ରଦାନ, ବାର୍ଦ୍ଧକ୍ୟ ହେଲେ ଖେତ ମଜଦୁରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ମାସିକ ୫ହଜାର ଟଙ୍କାର ଭତ୍ତା ପ୍ରଦାନ, ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ଫଳପ୍ରଦ ଓ ସକ୍ରୀୟ କରିବା ପାଇଁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସୁଲଭ ମୂଲ୍ୟରେ ରାସନ ଭାବେ ଯୋଗାଣ, ଦର ଦାମ ବୃଦ୍ଧି ବନ୍ଦ କର ଦାବିରେ ଦେଶବ୍ୟାପୀ ଶକ୍ତିଶାଳୀ ଆନ୍ଦୋଳନର ଆହ୍ୱାନ ଦେଇଥିଲେ । ଏହି ଖୋଲା ଅଧିବେଶନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ କମ୍ରେଡ୍‌ ଅଭୟ ସାହୁ, ଅଖିଳ ଭାରତ କୃଷକ ସଭାର ସର୍ବ ଭାରତୀୟ ଉପସଭାପତି କମ୍ରେଡ୍‌ ଆଶିଷ କାନୁନଗୋ, ନିଖିଳ ଓଡିଶା ଏନ. ଆର୍‌.ଇ.ଜି.ଏ. ଶ୍ରମିକ ସଂଘର ରାଜ୍ୟ ସଭାପତି କମ୍ରେଡ୍‌ ଜୟନ୍ତ ଦାସ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ୍‌ ବିଜୟ ଜେନା, ଆନ୍ଧ୍ର ପ୍ରଦେଶ ଖେତ ମଜଦୁର ୟୁନିୟନ ରାଜ୍ୟ ନେତା କମ୍ରେଡ୍‌ ଧର୍ମା ରାଓ,ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସଭାପତି କମ୍ରେଡ୍‌ ପ୍ରଦୀପ ସେଠୀ, ଓଡିଶା କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସାଧାରଣ ସମ୍ପାଦକ କଃ ନୀର୍ମଳ ନାୟକ ଏବଂ ରାଜ୍ୟ ଉପ ସଭାପତି ବିଦ୍ୟଧର ଜେନା ପ୍ରମୁଖ ଏହି ସମ୍ମିଳନୀର ସଫଳତା ପାଇଁ ଉଦବୋଧନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × two =