ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା

0 69

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଶୋଳପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିଛନ୍ତି ।
ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ଆଜି ମୂଳାଷ୍ଟମୀ ଅବସରରେ ଷୋଳପୂଜାର ବିଧି ଆରମ୍ଭ ହୋଇଛି ଗଜପତିଙ୍କ ଶ୍ରୀନହରରୁ । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ଗଜପତି ଆଜି ୨୧ ଜଣ ବ୍ରାହ୍ମଣଙ୍କୁ ଡାକି ସେମାନଙ୍କୁ ବରଣ କରିବା ସହ ବସ୍ତ୍ରଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି । ଏହି ଆଚାର୍ଯ୍ୟ ମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡିକରେ ଚଣ୍ଡିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ ।
ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଁ ବିମଳାଙ୍କ ପୀଠରେ ଶୋଡଷ ପୂଜାବିଧି ଆରମ୍ଭ ହୋଇଛି ଏହି ଶୋସ୍ତ୍ର୍ରିୟ ବ୍ରାହ୍ମଣଙ୍କ ଦ୍ୱାରା । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଆଲାମଚଣ୍ଡୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି ।
ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ଡିଚାର ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ ।

hiranchal ad1
Leave A Reply

Your email address will not be published.

15 + fourteen =