ଛତିଶଗଡ଼ ମୁହାଁ ଲଘୁଚାପ, କାଲିଠୁ କମିବ ବର୍ଷା

0 62

ଭୁବନେଶ୍ୱର: ଓଡ଼ିଶା ଛାଡ଼ି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିଛି ଲଘୁଚାପ କ୍ଷେତ୍ର। ଏବେ ଏହା ଦକ୍ଷିଣ ଛତିଶଗଡ଼ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ, ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ବେଶ୍ ପ୍ରଭାବଶାଳୀ ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଏହି ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ।
ଲଘୁଚାପର ପ୍ରଭାବରେ ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଅନେକ ସହରରେ ରାସ୍ତାଘାଟ ଭିଜିବା ସହ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି।
ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ପାଇଁ ଆଉ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି।
ତେବେ ଆଶ୍ୱସ୍ତିର ଖବର ହେଉଛି, ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ଧୀରେ ଧୀରେ କମିବ। ଯଦିଓ କେତେକ ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ରବିବାର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଲଘୁଚାପର ଗତିବିଧି ଉପରେ ବିଭାଗ ନିରନ୍ତର ନଜର ରଖିଥିବା ସୂଚନା ମିଳିଛି।

hiranchal ad1
Leave A Reply

Your email address will not be published.

four × one =