ବିଜେପିର ମନ୍ତ୍ରୀ ରଣନୀତି, ବିଜେଡିକୁ ରୋକିବାରେ କେତେ ସଫଳ ହେବ ?

0 484

ଭୁବନେଶ୍ୱର : କ୍ଷମତାକୁ ଆସିବା ପୂର୍ବରୁ ବିଜେପି ପୂର୍ବୋଦୟର ବିକାଶ ନାରା ଦେଇଥିଲା । ଯାହା ଏବେ ମଧ୍ୟ ଜାରି ରଖିଛି ବିଜେପି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସର ଦ୍ୱିତୀୟ ବର୍ଷ ପୂର୍ତ୍ତି କେନ୍ଦ୍ର ସରକାରରେ ପୂରଣ କରିଥିବା ବେଳେ ଗତକାଲି ଏହାର ପ୍ରଥମ ସଂପ୍ରସାରଣ ତଥା ଅଦଳବଦଳ ଶେଷ କରିଛନ୍ତି ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଏହି ସଂପ୍ରସାରଣ କରିଥିବା କୁହାଯାଉଥିବା ବେଳେ ଓଡିଶା ପରିପ୍ରେକ୍ଷୀରେ ଓଡିଶାର ସାଢେ ୪କୋଟି ଓଡିଆଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ମେଣ୍ଟ ଦେବାରେ କେତେ ସଫଳ ହେବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଯେ କି ଜଣେ ଅଣଓଡିଆ, ତାଙ୍କୁ ପ୍ରଥମଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେଳ ଓ ଆଇଟି ମନ୍ତ୍ରଣାଳୟ ଦିଆଯାଇଛି । ପୂର୍ବରୁ କ୍ୟାବିନେଟରେ ଥିବା ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରଣାଳୟ ଛଡାଇ ନେଇ ଶିକ୍ଷା ବିଭାଗ ଦିଆଯାଇଛି । ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଆଦିବାସୀ ବର୍ଗରୁ ଯାହାଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଦିଆଯାଇଛି ।
ଏଭଳି ସ୍ଥିତିରେ କେନ୍ଦ୍ରର ଓଡିଶାର ପ୍ରତିନିଧିତ୍ୱ ବଢିଥିଲେ ମଧ୍ୟ ମୋଦିଙ୍କ ଏହି ରଣନୀତି ପୂର୍ବୋଦୟର ସ୍ୱପ୍ନ ପୂରଣ ପାଇଁ ସମର୍ଥ ହେବନାହିଁ ବୋଲି ରାଜନୈତିକ ମହଲର ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ପକୃଷ୍ଟ କାରଣ କୁହାଯାଉଛି ଯେ, ଓଡିଶାର ବିଜେପିର ଉତ୍‌ଥାନରେ ପଶ୍ଚିମଓଡିଶାର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହାକୁ ସଂପୂର୍ଣ୍ଣ ଉପେକ୍ଷା କରାଯାଇଛି । ଏହା ବ୍ୟତୀତ ଉପକୂଳ ଓଡିଶାରୁ ମଧ୍ୟ ଉପଯୁକ୍ତ ପ୍ରତିନିଧିତ୍ୱ ପାଇଁ ଗୁରୁତ୍ୱ ଦିଆଯାଇନାହିଁ । କେବଳ ଉତ୍ତର ଓଡିଶାରୁ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ପ୍ରୋଜେକ୍ଟ କରି ଆଦିବାସୀ କାର୍ଡ ଖେଳିବାରେ ସନ୍ତୁଷ୍ଟ ରହିଛି । ପଶ୍ଚିମ ଓଡିଶାର ୧୩ ଜିଲ୍ଲାରୁ ୫ଟି ସଂସଦୀୟ କ୍ଷେତ୍ରରୁ ପ୍ରବୀଣ ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ ଓ ବସନ୍ତ ପଣ୍ଡା, ନୀତିଶ ଗଙ୍ଗଦେବ ଓ ସଂଗୀତା ସିଂଦେଓ ଥିବାବେଳେ ଉପକୂଳରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଓହ୍ଲାଇ ଥିବା ଅପରାଜିତାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଗଲା ନାହିଁ । ଓଡିଶାରେ ବିଜେପି କ୍ଷମତା ଆସିବା ନେଇ ଯେଉଁ କେନ୍ଦ୍ରୀୟ ନେତୃତ୍ୱ ରହିଛି ତାହାର ଆଶା ଏବେ କିପରି ସଫଳ ହେବ ? ୨୦୧୪ ସାଧାରଣ ନିର୍ବାଚନରେ ଓଡିଶାରୁ ୨୬ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୯ରେ ଏହା ବଢି ୩୯ ପ୍ରତିଶତରେ ପହଞ୍ଚିଥିଲା । ଏହା ରାଜ୍ୟ ବିଜେପିର ଆଶା ସଂଚାର କରୁଥିବା ବେଳେ ଏବେର ରଣନୀତି ବିଜେପିକୁ ପୁଣି ପୂର୍ବୋଦୟରୁ ସ୍ୱପ୍ନ ପାଇଁ ମହଙ୍ଗା ପଡିପାରେ ବୋଲି ମତପ୍ରକାଶ ପାଇଲାଣି ।

hiranchal ad1
Leave A Reply

Your email address will not be published.

5 + 6 =