ଅଫିସର ଅମାନିଆ ହେଲେ ଲୋକଙ୍କୁ ବୁଝାଇବ କିଏ ?

0 1,625

ବୌଦ୍ଧ: ବୌଦ୍ଧଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଯେତେ ତତ୍ପର ହେଲେ ମଧ୍ୟ ଅମାନିଆଙ୍କ ହରକତ ମୁଣ୍ଡବିନ୍ଧାର କାରଣ ହେଉଛି । ଲୋକଙ୍କ ହରକତ, କ୍ୱାରେଣ୍ଟାଇନ କେନ୍ଦ୍ର ଦାୟିତ୍ୱରେ ଥିବା ଲୋକ ଓ ସର୍ବୋପରି ବାହାରୁ ଆସୁଥିବା ଲୋକଙ୍କ ଦାୟିତ୍ୱହୀନତା ଓ ଅମାନିଆପଣ ପ୍ରଶାସନର ଚିନ୍ତାକୁ ବଢାଇ ଦେଉଛି । ଗତକାଲି ହରଭଙ୍ଗା ବ୍ଲକ ବୀରନରସିଂହପୁର କ୍ୱାରେଣ୍ଟାଇନ କେନ୍ଦ୍ରରେ ଡିଆରଡିଏର ନିର୍ବାହୀଯନ୍ତ୍ରୀ ଜ୍ଞାନଦା ପ୍ରସାଦ ସାହୁ କରିଥିବା ହରକତ ଓ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାବଳୀ ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ପୀ ସାହୁ ସମସ୍ତ କଟକଣା ଓ ନିୟମାବଳୀକୁ ବେଖାତିର କରି ଗୁଜୁରାଟରୁ ଫେରି ବୀରନରସିଂହପୁର ସଙ୍ଗରୋଧ କେନ୍ଦ୍ରରେ ଥିବା ୪୦ଜଣ ପ୍ରବାସୀଙ୍କ ସହ ଅସୁରକ୍ଷିତ ଭାବେ ମିଶିଥିଲେ । ସଙ୍ଗରୋଧ କେନ୍ଦ୍ରର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବାରଣକୁ ମଧ୍ୟ ଶୁଣିନଥିଲେ । ଓଲଟା ସେମାନଙ୍କ ସହ ପାଟିତୁଣ୍ଡ କରିବାକୁ ପଛାଇ ନଥିଲେ ।
କୋଭିଡ-୧୯ର ନୋଡାଲ ଅଫିସରେ ଥିବା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶଙ୍କ ଉପସ୍ଥିତିରେ ଏସବୁ ଘଟଣା ଘଟିଥିଲା । ପରିସ୍ଥିତିକୁ ଦେଖି ଶ୍ରୀ ଦାଶ ଇଂ ସାହୁଙ୍କୁ ସେଠାରୁ ନେଇ ଆସିଥିଲେ । ସେଠାରୁ ଫେରି ମଧ୍ୟ ଇଂ ସାହୁ ସେଇ ପୋଷାକରେ ହିଁ ଡିଆରଡିଏ ଫେରି ନିଜ ଚାମ୍ବରକୁ ଯାଇ କର୍ମଚାରୀଙ୍କ ସହ ମିଶିଥିଲେ । ଜିଲ୍ଲାପାଳଙ୍କ ବାସଭବନରେ ଥିବା ସର୍କିଟ ହାଉସକୁ ମଧ୍ୟ ପଶିଥିଲେ । ଏ ଘଟଣା ସଂପର୍କରେ ଅବଗତ ହେବାପରେ ଜିଲ୍ଲାପାଳ ଡିଆରଡିଏ ପରିସର ସେ ବ୍ୟବହାର କରିଥିବା ଗାଡି ଓ ସର୍କିଟ ହାଉସକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଇଂ ସାହୁ ଓ ତାଙ୍କ ଡ୍ରାଇଭରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋଭିଡ କେୟାର ସେଣ୍ଟରକୁ ନିଆଯାଇଥିଲା । ସେ ସେଠାରେ କାହିଁକି ରହିବେ ବୋଲି କୋଭିଡ ସେଣ୍ଟର କର୍ମଚାରୀଙ୍କ ସହ ପାଟିତୁଣ୍ଡ କରି ତାଙ୍କୁ ନାକେଦମ କରିଥିଲେ । ତାଙ୍କର ମାନସିକ ଅବସ୍ଥା ଠିକ ନଥିବା ଦର୍ଶାଇ ସିଡିଏମଓ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଯିବାକୁ ସୁପାରିଶ କରିବାପରେ ନାଟକର ଯବନିକା ପଡିଥିଲା ।
ଗତକାଲିର ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି । ଜଣେ ଦାୟିତ୍ୱ ସଂପନ୍ନ ଅଧିକାରୀ କୌଣସି ନୀତିନିୟମ ନ ମାନିବା ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଜନସାଧାରଣରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଯଦି ଦାୟିତ୍ୱସଂପନ୍ନ ଅଧିକାରୀମାନେ ଏଭଳି ଆଚରଣ କରିବେ ତେବେ ଜିଲ୍ଲାକୁ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ କିଏ ବୁଝାଇବ ଓ ସେମାନଙ୍କର ହରକତକୁ କିଏ ପ୍ରତିହତ କରିବ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

13 − twelve =