ଲକଡାଉନ ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

0 239

ଭୁବନେଶ୍ୱର: ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନିର୍ବାଚିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ସରପଞ୍ଚମାନେ ବ୍ଲକସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଡ଼ି ହୋଇଥିଲେ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ବେଳେ ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବା, ସେମାନଙ୍କର ରହିବା, ଖାଇବାର ଉଚିତ୍ ବ୍ୟବସ୍ଥା କରିବା ସହିତ ଗାଁରେ କରୋନାକୁ ପଶିବାକୁ ଦେବା ନାହିଁ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଗାଁର ସରପଞ୍ଚମାନଙ୍କୁ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହାଦ୍ୱାରା ସରପଞ୍ଚମାନଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, ଆପଣମାନଙ୍କ ଦକ୍ଷତା ଉପରେ ମୋର ଭରସା ଅଛି । ଗାଁରେ ଯେଭଳି କରୋନା ନପଶିବ ତାହା ଦେଖିବା ଆପଣମାନଙ୍କର ପ୍ରଥମ କାମ ହେବ । ଭଲ କାମ କରି କରୋନାକୁ ଆମେ ମୁକାବିଲା କରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକରେ ଥିବା ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । କୋରାପୁଟ ସଦର ବ୍ଲକ, କେନ୍ଦ୍ରାପଡ଼ା ସଦର ବ୍ଲକ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ, ସମ୍ବଲପୁରର ଧାନକଉଡା ବ୍ଲକ, ବରଗଡ଼ର ବରଦୋଲ, ଭଦ୍ରକର ବାସୁଦେବପୁର ବ୍ଲକର ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ । ସରପଞ୍ଚମାନେ ସେମାନଙ୍କ ପଞ୍ଚାୟତରେ କ୍ୱାରେଣ୍ଟାଇନ୍ ସେଣ୍ଟର କିଭଳି ପ୍ରସ୍ତୁତ ରହିଛି ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଏହି ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପ ଯୋଗୁଁ କରୋନା ମୁକାବିଲାରେ ଏ ପର୍ଯ୍ୟନ୍ତ ଆଗୁଆ ରହିଛୁ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ୍ ସରପଞ୍ଚମାନଙ୍କ ସହିତ ମଧ୍ୟ ଆଲୋଚନା କରି ସୁଚିନ୍ତିତ ପରାମର୍ଶ ଦେଇଥିଲେ । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ବିକେ ସିଂ ବାହାରୁ ଆସୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ କ୍ୱାରେଣ୍ଟାଇନରେ କଭଳି ବ୍ୟବସ୍ଥା କରି ରଖିବାକୁ ପଡ଼ିବ ସେ ବିଷୟରେ ସୂଚନା ଦେଇଥିଲେ । ଶ୍ରୀ ସିଂ କହିଥିଲେ, ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ବାହାରୁ ପାଖାପାଖି ପାଞ୍ଚ ଲକ୍ଷ ଓଡ଼ିଆ ନିଜ ନିଜ ଗାଁକୁ ଫେରିବାର ସମ୍ଭାବନା ରହିଛି । ତେଣୁ ସରପଞ୍ଚମାନେ ଏହାକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନର ବ୍ୟବସ୍ଥାକୁ ସୁଦୃଢ଼ ରଖିବେ । ସରକାର ଅପ୍ରେଲ୍ ୨୪ରେ ଏକ ପୋର୍ଟାଲ୍ ଖୋଲିବେ । ଏହି ପୋର୍ଟାଲରେ ବାହାରୁ ଆସୁଥିବା ଓଡ଼ିଆ ଭାଇଭଉଣୀ ଶ୍ରମିକମାନେ ପଞ୍ଜୀକରଣ ସୁନିଶ୍ଚିତ କରିବେ । ସବୁ ପଞ୍ଚାୟତରେ ଜଣେ ନୋଡାଲ ଅଫିସର ରହିବା ସହିତ ବିଡ଼ିଓମାନେ ତଦାରଖ ପାଇଁ ଏକ ପାଞ୍ଚଜଣିଆ ଟିମ୍ ଗଠନ କରିବାକୁ ସେ ପରାମର୍ଶ ଦେଇଥିଳେ । ସରକାର କ୍ୱାରେଣ୍ଟାଇନରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା ଖାଇବା, ପିଇବା ଯୋଗାଇଦେବେ । କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଦୁଇ ହଜାର ଟଙ୍କା ଲେଖାଏଁ ସେମାନଙ୍କୁ ପ୍ରଦାନ କରାଯିବ ।

hiranchal ad1
Leave A Reply

Your email address will not be published.

13 + seven =