କୁମ୍ଭମେଳା ଫେରନ୍ତା ଶିକ୍ଷକଙ୍କ କରୋନା ରିପୋର୍ଟ ଆସିବା ପୂର୍ବରୁ ମୃତ୍ୟୁ

0 3,623

ବୌଦ୍ଧ,୨୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଧଳପୁର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନୀଲ ଦାଶ (୪୧)ଙ୍କ ଗତକାଲି ବିଳମ୍ବିତ ରାତିରେ ଧଳପୁର ଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ଦାଶ କୁମ୍ଭମେଳାକୁ ଯାଇଥିଲେ । ସେ ରେଳପଥରେ ସେଠାରୁ ବ୍ରହ୍ମପୁର ଫେରି ଗତ ୨୦ ତାରିଖରେ ଧଳପୁର ଆସିଥିଲେ । ସେ ରେଳରେ ଆସିବା ପୂର୍ବରୁ କୋଭିଡ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ନେଗେଟିଭ ଆସିଥିଲା । ଧଳପୁର ପହଞ୍ଚିବା ପରେ ଅସୁସ୍ଥତା ଅନୁଭବ କରିବା ହେତୁ ସେ ପୁନର୍ବାର କୋଭିଡ ପରୀକ୍ଷା ଗତ ୨୨ ତାରିଖରେ କରାଇଥିବା ଜଣାପଡ଼ିଛି । ଆଜିପର୍ଯ୍ୟନ୍ତ ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ହସ୍ତଗତ ହୋଇନଥିବା ବେଳେ ସେ ଗତରାତିରେ ମୃତ୍ୟୁବରଣ କରିଛନ୍ତି । ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିବା ପରିବାର ସୂତ୍ରରୁ ପ୍ରକାଶ । ସେ କୋଭିଡ ଟେଷ୍ଟ ପାଇଁ ସ୍ୱାବ ଦେଇଥିବାରୁ କରୋନାରେ ଆକ୍ରାନ୍ତଥିବା ଆଶଙ୍କା କରି ତାଙ୍କ ଶବ ନିକଟକୁ ବନ୍ଧୁ ଓ ସମ୍ପର୍କୀୟ କେହି ଯାଇନଥିଲେ ଓ ପ୍ରାୟ ୧୨ ଘଣ୍ଟା ଧରି ଶବ ଘରେ ପଡି ରହିଥିଲା । ଖବରପାଇ ହରଭଙ୍ଗା ବ୍ଲକ୍‌ ବିଡିଓ ଧଳପୁରରେ ପହଞ୍ଚି ଏକ ଶବବାହକ ଗାଡି ବୌଦ୍ଧରୁ ମଗାଇ ସ୍ଥାନୀୟ ଶ୍ମଶାନରେ ଶବସଂସ୍କାରର ବ୍ୟବସ୍ଥା କରାଇଥିବା ଜଣାପଡିଛି । ସେହିପରି ଆଜି ବୌଦ୍ଧ ସହର ସୁଦସାହି ୪ ନମ୍ବର୍‌ ୱାର୍ଡର ଜଣେ ୪୦ ବର୍ଷୀୟ ମହିଳା ବୌଦ୍ଧ କୋଭିଡ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ଗତକାଲି ପଜିଟିଭ ଚିହ୍ନଟ ହୋଇ ରାତିରେ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଆଜି ଭୋର ସମୟରେ ମୃତ୍ୟୁବରଣ କରିଥିବା ପରିବାର ସୂତ୍ରରୁ ପ୍ରକାଶ । ସରକାରୀ ଭାବେ ତାଙ୍କ ମୃତ୍ୟୁକୁ କରୋନାଜନିତ ବୋଲି ଘୋଷଣା କରାଯାଇନାହିଁ ।ଏ ସମ୍ପର୍କରେ ତଦନ୍ତ କରାଯାଇ ମୃତ୍ୟୁର କାରଣ ଘୋଷଣା କରାଯିବାର ବ୍ୟବସ୍ଥା ରହିଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି ।

hiranchal ad1
Leave A Reply

Your email address will not be published.

two × two =