ରବିଧାନ ପଞ୍ଜିକରଣ ହୋଇନଥିବା ଯୋଗୁଁ ମଣ୍ଡି ବନ୍ଦକଲେ ଚାଷୀ

0 1,014

ବୌଦ୍ଧ/ବାଉଁଶୁଣୀ,୩୧/୫- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ସେବା ସମବାୟ ସମିତିରେ ରବିଧାନ କ୍ରୟପାଇଁ ଆଜି ମଣ୍ଡି ଶୁଭାରମ୍ଭ କରିବାକୁ ଥିବାବେଳେ ଫର୍ମ ଦାଖଲ୍‌ କରି ମଧ୍ୟ ନାମ ପଞ୍ଜିକରଣ ହୋଇନଥିବା ଯୋଗୁଁ ଚାଷୀମାନେ ଆଜି ବାଉଁଶୁଣୀ ମଣ୍ଡିରେ ଆନ୍ଦୋଳନ କରି ମଣ୍ଡି ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ରବିଧାନ କରିଥିବା ବାଉଁଶୁଣୀ ମୌଜାର ୧୨ ଜଣ ଚାଷୀ ନିକଟକୁ ଟୋକନ ଆସିନାହିଁ । ସେମାନେ ଗ୍ରାମରେ ଥିବା ଡୁଙ୍ଗିବନ୍ଧ ତଳେ ନିଜ ନିଜ ଜମିରେ ରବି ଧାନ କରିଥିଲେ । ବନ୍ଧ ତଳେ ଚାଷ କରିଥିବା ମାତ୍ର ୬ ଜଣ ଚାଷୀ ଟୋକେନ ପାଇଥିବା ବେଳେ ୧୨ ଜଣ ଚାଷୀଙ୍କ ମୋବାଇଲକୁ ମେସେଜ ଆସିନାହିଁ । ପଞ୍ଜିକରଣ ପାଇଁ ସମସ୍ତ କାଗଜପତ୍ର ସମିତିରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଉଦ୍ଦେଶ୍ୟମୁଳକ ଭାବେ ତାଙ୍କ ନାମ ପଞ୍ଜିକରଣ କରିନଥିବା ସେମାନେ ଗତ ୨୮ ତାରିଖରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ । ଚାଷୀ ଗଣେଶ୍ୱର ତରିଆ, ପବିତ୍ର ସାହୁ, ରୋହିତ ସାହୁ, ନାରାୟଣ ପୁରୋହିତ, ଗୋପୀନାଥ ମେହେର, ରଘୁନାଥ ମେହେର, ମିନୀ ମହାକୁଡ, ଗୋପବଂଧୁ ମିଶ୍ର, ବୀରମିତ୍ର ଦେହୁରୀ, ତରଣି ସେନ୍‌ ପଣ୍ଡା, ସତ୍ୟ ନାରାୟଣ ସାହୁ ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସହକାରୀ ନିବନ୍ଧକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଆଜି ବାଉଁଶୁଣୀ ମଣ୍ଡିରେ ଧାନ କ୍ରୟ ଶୁଭାରମ୍ଭ ସମୟରେ ଚାଷୀମାନେ ଆନ୍ଦୋଳନ କରି ଧାନକ୍ରୟ ବନ୍ଦ କରି ଦେଇଥିବା ପ୍ରକାଶ କରିଛନ୍ତି । ପ୍ରାୟ ଦୁଇବର୍ଷ ହେବ ବାଉଁଶୁଣୀ ସେବା ସମବାୟ ସମିତିରେ ସମ୍ପାଦକ ପଦବୀ ଖାଲିପଡିଛି । ସମିତିର ମିନି ବ୍ୟାଙ୍କ ସହକାରୀ ଜୟ ପ୍ରକାଶ ମେହେର ଭାରପ୍ରାପ୍ତ ସମ୍ପାଦକ ଭାବେ ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ସମ୍ପାଦକ ନିଯୁକ୍ତି ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ସହକାରୀ ନିବନ୍ଧକ ଓ ସମିତିର ପ୍ରଶାସକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ହେତୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସ୍ଥାୟୀ ସମ୍ପାଦକ ନଥିବା ଯୋଗୁଁ ସମିତିରେ ନିୟମିତ ଅବ୍ୟବସ୍ଥା ହେଉଥିଲେ ମଧ୍ୟ ସମବାୟ ପ୍ରଶାସନ ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + twelve =