ଲକ୍ ଡାଉନର ପ୍ରଭାବ : ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଜୀବିକା ହରାଇଲେ କଳାକାର, ମାନସିକଧାରୀ ହତାଶ

0 1,055

ବୌଦ୍ଧ : ତୈତ୍ରମାସରେ ବୌଦ୍ଧ ଜିଲ୍ଲାର ଗାଁ ଦାଣ୍ଡ ଦୁଲୁକି ଉଠେ ଦଣ୍ଡନୃତ୍ୟର ଷୋହଳ ଖଣ୍ଡ ବାଦ୍ୟର ତାଳେ ତାଳେ । ବିଭିନ୍ନ ଶୈବପୀଠରୁ ଦଣ୍ଡନୃତ୍ୟଦଳ ବାହାରି ଗାଁ ଗାଁରେ ଶୈବ ଓ ଶାକ୍ତ ମତବାଦର ପ୍ରଚାର ପ୍ରସାର କରିବା ସହ ମନୋରଂଜନର ଖୋରକ ଯୋଗାଇ ଆସୁଥିଲେ । ଏକୋଇଶିଆ ଦଣ୍ଡଦଳମାନେ ମାର୍ଚ୍ଚ ୨୩ ତାରିଖରେ ଓ ୧୩ ଦିନିଆ ଦଳଗୁଡିକ ଅପ୍ରେଲ ୧ ତାରିଖରେ ଉଠି ସମସ୍ତେ ପଣା ସଂକ୍ରାନ୍ତିରେ ଉଦଯାପନ କରିବା କଥା । ସାରା ବିଶ୍ୱରେ ଓ ଭାରତରେ କରୋନା ଭୟରେ ଜନଗହଳିକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିବା ଯୋଗୁଁ ଦଣ୍ଡଯାତ୍ରା ଆରମ୍ଭ ହୋଇପାରିନଥିଲା । ଫଳରେ ଦଣ୍ଡଯାତ୍ରାକୁ ନିର୍ଭର କରି କିଛି ଆୟ କରୁଥିବା ସେବାୟତ, କଳାକାର ଓ ବାଦ୍ୟଶିଳ୍ପୀମାନେ ଘୋର ଆର୍ଥିକ ସଂକଟରେ ପଡିଛନ୍ତି ।

hiring
ଫାଇଲ ଫଟୋ


ସମଗ୍ର ବୌଦ୍ଧ ଓ ସୋନପୁର ଜିଲ୍ଲା ସମେତ ଆଠମଲ୍ଲିକ ଏବଂ ରେଢାଖୋଲ ଉପଖଣ୍ଡର ଶତାଧିକ ଶୈବପୀଠରୁ ଦଣ୍ଡଯାତ୍ରା ବାହାରିଥାଏ । ଏ ସମସ୍ତ ଦଣ୍ଡନୃତ୍ୟ ଦଳରେ ହଜାର ହଜାର କଳାକାର ଲୋକଙ୍କ ମନୋରଂଜନ ପାଇଁ ବିଭିନ୍ନ ସୁଆଙ୍ଗରେ ନୃତ୍ୟକରି କିଛି କିଛି ରୋଜଗାର କରିବାର ସୁଯୋଗ ଲାଭ କରିଥାନ୍ତି । ଦଣ୍ଡଯାତ୍ରା ନକରିବା ପାଇଁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିବା ପରେ ସେହି କଳାକାର ଓ ତାଙ୍କ ପରିବାର ଏବେ ସଂକଟରେ । ଦଣ୍ଡଯାତ୍ରା କମିଟିର କର୍ମକର୍ତ୍ତାମାନେ କଳାକାର ଓ ବାଦ୍ୟଶିଳ୍ପୀମାନଙ୍କୁ କିଛି ଅର୍ଥ ଅଗ୍ରୀମ ଭାବେ ଦଣ୍ଡ ଉଠିବାର ବହୁ ପୂର୍ବରୁ ପ୍ରଦାନ କରୁଥିବାରୁ ସେହି ଟଙ୍କା ମଧ୍ୟ ସେମାନେ କଳାକାରମାନଙ୍କଠାରୁ ଫେରି ପାଇବାର ଆଶାକ୍ଷୀଣ । ଉତ୍ତମ କଳା ନୈପୁଣର ପରିପ୍ରକାଶ ପାଇଁ କଳାକାରମାନେ ମାସେ/ଦୁଇମାସ ଆଗରୁ ପରିଶ୍ରମ କରି କରିଥିବା ଅଭ୍ୟାସ ମଧ୍ୟ ପାଣିରେ ପଡିଯାଇଛି । ଯେଉଁ ଭକ୍ତମାନେ ମାନସିକ କରି ଚଳିତ ବର୍ଷ ଦଣ୍ଡ ରଖିବାକୁ ମନସ୍ଥ କରିଥିଲେ ଓ ପ୍ରସ୍ତୁତି ଚଳାଇଥିଲେ ସେମାନେ ମଧ୍ୟ ମନସ୍ତାପରେ ରହିଛନ୍ତି । ଧାର୍ମିକ ଭାବନା ନେଇ ମାନସିକ ବ୍ରତଧାରୀମାନେ ଯେଉଁ ଶିବବ୍ରତ ଆଚରଣ କରିଆସୁଥିଲେ ଚଳିତ ବର୍ଷ ସେମାନଙ୍କର ବ୍ରତରେ ମଧ୍ୟ ବିରାମ ଲାଗିଛି । ସେବାୟତମାନେ ଭକ୍ତଙ୍କଠାରୁ ପାଉଥିବା ଦକ୍ଷିଣା ମଧ୍ୟ ବୁଡିଲା ।
ଚଳିତ ବର୍ଷ ଅପ୍ରେଲ ୧୩ ତାରିଖରେ ପଣାସଂକ୍ରାନ୍ତି ପଡୁଥିବାରୁ ଅନ୍ତତଃ ବିଧି ଅନୁସାରେ ପୂର୍ବଦିନ ଦଣ୍ଡ ଉଠାଇ ୪/୫ ଭୋକ୍ତାଙ୍କୁ ନେଇ ପରଂପରା ବିଧି ପାଳନ କରିବାର ବିଚାର କୁରଥିବା ଶୁଣିବାକୁ ମିଳେ । ମୋଟାମୋଟି ଭାବରେ କହିବାକୁ ଗଲେ କରୋନା ପାଇଁ ଲକଡାଉନ ହେବାରୁ ହଜାର ହଜାର ପରିବାର ଚଳିତ ବର୍ଷ ଆର୍ଥିକ ସଂକଟରେ । ସରକାର ଦଣ୍ଡ କଳାକାର ଓ ବାଦ୍ୟ କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି କଳାକାରମାନେ ମତ ପ୍ରକାଶ କରୁଛନ୍ତି । ଦଣ୍ଡଯାତ୍ରାକୁ ନେଇ ଚାଲିଆସିଥିବା ପରଂପରାରେ ଚଳିତ ବର୍ଷ ବିରାମ ହୋଇଥିବାରୁ ମାନସିକଧାରୀ ଭକ୍ତମାନେ ନିରାଶ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

ten + 19 =