ଦଶପଲ୍ଲାକୁ ଗଡୁନି ରେଳ, ଆନ୍ଦୋଳନ ପାଇଁ ସଜବାଜ

0 439

ଦଶପଲ୍ଲା : ଭାରତୀୟ ରେଳ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରୀଙ୍କ ଅବହେଳା ପାଇଁ ଦଶପଲ୍ଲାକୁ ରେଳ ଚଳାଚଳ କରିବାରେ ଦେଖାଦେଉଛି ଅହେତୁକ ବିଳମ୍ବ । ରେଳ ଚଳାଚଳ ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟ ଶେଷ ହୋଇଥିବା ବେଳେ କେବେ ରେଳ ଚଳାଚଳ ହେବ ସେ ନେଇ କୌଣସି ଦିନଧାର୍ଯ୍ୟ କରାଯାଉନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଗୋଟିଏ ପାର୍ଶ୍ୱରେ ଦଶହରା ପୂର୍ବରୁ ରେଳ ଚଳାଚଳ ପାଇଁ ଦାବି ହେଉଥିବା ବେଳେ ଏବେ ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବହୁ ଭକ୍ତ ପୁରୀ ଧାମକୁ ଯିବାକୁ ଆଶା ବାନ୍ଧିଛନ୍ତି । ହେଲେ ରାଜନୈତିକ ଅଭିସନ୍ଧି ରଖି ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ବିଳମ୍ବ କରାଯାଉଥିବା ନେଇ ଅଭିଯୋଗ ହେଉଛି । କିଏ କହୁଛି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିନଧାର୍ଯ୍ୟ ହୋଇପାରୁନି ତ ପୁଣି କିଏ କହୁଛି ରାଜନୈତିକ କାରଣରୁ ରେଳ ଚଳାଚଳକୁ ଜାଣିଶୁଣି ମନ୍ତ୍ରୀ ବିଳମ୍ବ କରୁଛନ୍ତି । ଏସବୁ ମଧ୍ୟରେ ରେଳ ଚଳାଚଳ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିଲେ ମଧ୍ୟ ଦୈନିକ ହଜାର ହଜାର ଯାତ୍ରୀ ନାନା ସମସ୍ୟା ଭୋଗୁଛନ୍ତି । ଦଶପଲ୍ଲାଠାରୁ ୨୦ କିମି ଦୂର ନୂଆଗାଁ ଯାଇ ରେଳରେ ଯାତ୍ରା କରିବା ଏବଂ ଫେରିବା ପାଇଁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁ ମଧ୍ୟରେ ଦଶପଲ୍ଲାରୁ ଆରମ୍ଭ କରି ନୟାଗଡ଼ ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ ଦଶହରା ପୂର୍ବରୁ ରେଳ ଚଳାଚଳ ପାଇଁ ରେଳ ବିଭାଗକୁ ଦାବିପତ୍ର ଦିଆଯିବା ସହ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲେ ମଧ୍ୟ ରେଳ ବିଭାଗ କିମ୍ବା ରେଳମନ୍ତ୍ରୀଙ୍କର ଆନ୍ତରିକତା ପ୍ରକାଶ ପାଉନଥିବା ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ ଦଶପଲ୍ଲାକୁ ଖୁବ୍‌ ଶୀଘ୍ର ରେଳ ଚଳାଚଳ କରିବା ସହ ସବ୍‌ଡିଭିଜନ ମାନ୍ୟତା ପାଇଁ ଆନ୍ଦୋଳନ ପାଇଁ ସଜବାଜ ହୋଇଛି ଦଶପଲ୍ଲା ଉନ୍ନୟନ ପରିଷଦ । ଦଶପଲ୍ଲା ତହସିଲ କାର୍ଯ୍ୟାଳୟସ୍ଥିତ ମୋହରିରଖାନାଠାରେ ଉନ୍ନୟନ ପରିଷଦର ଆବାହକ ସୁରେଶ କୁମାର ମିଶ୍ରଙ୍କ ଆବାହକତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିବ କୁମାର ରାୟଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମହେଶ୍ୱର ବେହେରା, ସଂଯୁକ୍ତା ଦାସଗୁପ୍ତା, ନାରାୟଣ ସାହୁ, ସନ୍ତୋଷ କୁମାର ସାହୁ, ଶରତ ସାହୁ, ବିଜୟ କୁମାର ଅଗ୍ରୱାଲ, ସଜନ କୁମାର ରାୟ ଯୋଗ ଦେଇଥିଲେ । ଏହି ବୈଠକରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ରେଳ ବିଭାଗ ସମେତ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୫ ଦିନ ମଧ୍ୟରେ ରେଳ ଚଳାଚଳ ସହ ଖୁବ୍‌ଶୀଘ୍ର ଦଶପଲ୍ଲାକୁ ସବ୍‌ଡିଭିଜନର ମାନ୍ୟତା ପ୍ରଦାନ କରାନଗଲେ , ଦଶପଲ୍ଲାରେ ଆନ୍ଦୋଳନକୁ ତୀବ୍ର କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଆବାହକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + seventeen =