ଆଇସୋଲେସନ ୱାର୍ଡ ରୁପେ ୩୨ ରେଲ୍‌ବଗି ବ୍ୟବହୃତ ହେବ

0 62

ସମ୍ବଲପୁର:- କରୋନା ସଂକ୍ରମଣକୁ ଆୟତ୍ତ କରିବା ସହିତ ଆଗାମୀଦିନର ସ୍ଥିତି ଅନୁମାନ କରି ପ୍ରତିହତ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଏଠାରେ ଯାତ୍ରା ବାତିଲ କରି ଅଟକି ରହିଥିବା ରେଳବାଇ ବଗିଗୁଡିକ ମଧ୍ୟରୁ ୩୨ଟି ବଗିକୁ ଆଇସୋଲେସନ ୱାର୍ଡରୁପେ ବ୍ୟବହାର କରିବାପାଇଁ ସ୍ଥିର କରାଯାଇଛି । ଏଥିପାଇଁ ସେଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରି ସେଗୁଡିକ ସମ୍ବଲପୁର ମୁଖ୍ୟ ରେଳଷ୍ଟେସନରେ ହିଁ ଆଇସୋଲେସନ ୱାର୍ଡ ରୁପେ ବ୍ୟବହାର କରାଯିବ । ସେଗୁଡିକ ଆବଶ୍ୟକ ସୁବିଧାଯୁକ୍ତ କରାଯାଇ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲାପ୍ରଶାସନକୁ ପରିଚାଳନା ପାଇଁ ହସ୍ତାନ୍ତର କରାଯିବ ବୋଲି ରେଲୱେ ସୂତ୍ରରୁ ସୂଚନା ଦିଆଯାଇଛି । ସେଥିରେ ଭର୍ତ୍ତି ରୋଗୀଙ୍କ ସୁବିଧାପାଇଁ ପ୍ରତ୍ୟେକ ଶଯ୍ୟା ପାଖରେ ମୋବାଇଲ ଓ ଲାପଟପ ଚାର୍ଜର ଖଞ୍ଜାଯାଇଛି ଓ ରୋଗୀଙ୍କ ଜିନିଷପତ୍ର ରଖିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଶଯ୍ୟା ପାଖରେ ଅକ୍ସିଜେନ ସିଲିଣ୍ଡର ରଖିବାପାଇଁ ସ୍ଥାନ ନିରୂପିତ କରାଯାଇଛି । ଏହାସହିତ ବଗିର ଶୌଚାଳୟକୁ ଅଧିକ ସୁବିଧାସଂପନ୍ନ ମଧ୍ୟ କରାଯାଇ ଗାଧୋଇବାପାଇଁ ବାଥଷ୍ଟୁଲ ରଖାଯାଇଛି । ସେଠାରେ ହାତଧୋଇବା ପାଇଁ ବିଶେଷ ହ୍ୟାଣ୍ଡବେସିନ ମଧ୍ୟ ଲଗାଯାଇଛି । ବର୍ଜ୍ୟବସ୍ତୁ ପକାଇବା ପାଇଁ ଡଷ୍ଟବିନ ରଖାଯାଇଛି । ବଗିର ଝରକା ବାଟରେ ମଶାମାଛି ଆଦି ପ୍ରବେଶ ନକରନ୍ତୁ ଏଥିପାଇଁ ସେଗୁଡିକରେ ବାହାରପଟୁ ସୂକ୍ଷ୍ମ ପ୍ଲାଷ୍ଟିକ ଜାଲି ଖଞ୍ଜାଯାଇଛି ।

hiranchal ad1
Leave A Reply

Your email address will not be published.

5 × two =