କାମକରୁନି ଦମକଳ କେନ୍ଦ୍ରର ମୋବାଇଲ !

0 424

ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରଶାସନ ବୌଦ୍ଧ ଦମକଳ କେନ୍ଦ୍ରକୁ ଯୋଗାଇ ଦେଇଥିବା ମୋବାଇଲ କାର୍ଯ୍ୟ କରୁନଥିବାରୁ କୌଣସି ଜରୁରୀକାଳିନ ସୂଚନା ଦେବାରେ ଲୋକେ ହଇରାଣର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ବିଭାଗରୁ କିଛି ବର୍ଷ ତଳେ ଏକ ମୋବାଇଲ ସେଟ୍ ଜନସାଧାରଣଙ୍କ ହିତରେ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିଲା । ଯେଉଁ ମୋବାଇଲ ନମ୍ବର ଥିଲା ୯୩୮୮୦୭୭୭୬ ମାତ୍ର ତାହା ଏବେ କାର୍ଯ୍ୟ କରୁନାହିଁ ।
ଦମକଳ କେନ୍ଦ୍ରର ଜରୁରୀକାଳୀନ ନମ୍ବର ୧୦୧କୁ ମୋବାଇଲରୁ କେହି ଫୋନ କଲେ ତାହା ସମ୍ବଲପୁର ଦମକଳ କେନ୍ଦ୍ରକୁ ଲାଗିଥାଏ । ଦମକଳ କେନ୍ଦ୍ରର ଲ୍ୟାଣ୍ଡ ଲାଇନ ବେଳେ ବେଳେ ବିଭିନ୍ନ ସ୍ଥାନରେ କେବୁଲ କଟି ଯାଉଥିବାରୁ ଫୋନ ଅଚଳ ରହୁଥିବା ଦେଖିବାକୁ ମିଳେ । ରାସ୍ତା ନିର୍ମାଣ, ପାନୀୟ ଜଳ ପାଇପ୍ ପୋତାକାମ ଯୋଗୁଁ ବାରମ୍ବାର ଲ୍ୟାଣ୍ଡ ଲାଇନ ଅଚଳ ରହୁଥିବାକୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଜରୁରୀକାଳୀନ ବିଭାଗରୁ ଏକ ମୋବାଇଲ କ୍ରୟ କରି ତତ୍କାଳିନ ଫାୟାର ଅଫିସର କୈଳାଶ ମଲ୍ଲିକଙ୍କୁ ପ୍ରଦାନ କରିଥିଲେ । ଶୁଣିବାକୁ ମିଳେ ଶ୍ରୀ ମଲ୍ଲିକ ବୌଦ୍ଧରୁ ବଦଳି ହୋଇ ଅନ୍ୟତ୍ର ଯିବାବେଳେ ସେହି ମୋବାଇଲରେ ପଡିଥିବା ସିମକାର୍ଡଟି ନିଜ ନାମରେ ଥିବାରୁ ତାହାକୁ ମୋବାଇଲରୁ କାଡି ନେଇଯାଇଥିଲେ । ପରବର୍ତ୍ତୀ ସମୟରେ ଆସିଥିବା ଅଧିକାରୀମାନେ ମୋବାଇଲରେ ଆଉ ସିମକାର୍ଡ ପକାଇ ତାହାକୁ ସଚଳ କରାଇନାହାନ୍ତି । ସିମ୍ କ୍ରୟ କରିବା ପାଇଁ ଆଧାର କାର୍ଡ ଜରୁରୀ ହେଉଥିବାରୁ ଓ ବ୍ୟକ୍ତିଗତ ଫଟୋ ଦିଆଯାଉଥିବାରୁ ତାହା ସମସ୍ୟା ହେଉଛି ।
ବର୍ତ୍ତମାନ ମୋବାଇଲ ସମସ୍ତଙ୍କ ହାତରେ । ଦମକଳକୁ କୌଣସି ସୂଚନା ଦେବାରେ ସମସ୍ତେ ମୋବାଇଲ ହିଁ ବ୍ୟବହାର କରୁଥିବାରୁ ଦମକଳ କେନ୍ଦ୍ର ପାଇଁ ଏକ ମୋବାଇଲ ନମ୍ବର ରହିବାର ଆବଶ୍ୟକତା ରହିଛି । ଲ୍ୟାଣ୍ଡ ନମ୍ବରକୁ ଫୋନ ନଲାଗିଲେ ନମ୍ବର ଜାଣିଥିବା କୌଣସି ପରିଚିତ ଅଗ୍ନିଶମ କର୍ମଚାରୀଙ୍କ ମୋବାଇଲକୁ ଲୋକେ ଫୋନ କରି ସୂଚନା ଦେଉଥିବା ଦେଖିବାକୁ ମିଳେ । ଏଣୁ କେବଳ ବୌଦ୍ଧ ଦମକଳ କେନ୍ଦ୍ର ନୁହେଁ ବରଂ ବୌଦ୍ଧ ସମେତ ଚାରିଛକ, ବାଉଁଶୁଣୀ ଓ କଣ୍ଟାମାଳ ଦମକଳ କେନ୍ଦ୍ରକୁ ମଧ୍ୟ ଗୋଟିଏ ଲେଖାଏଁ ମୋବାଇଲ ଓ ସ୍ଥାୟୀ ସିମ୍ କାର୍ଡ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two + nine =