ମଇ ୩ ପରେ ସ୍ଥିତି ଏଭଳି ରହିପାରେ

0 219

ନୂଆଦିଲ୍ଲୀ : ସମସ୍ତ ପ୍ରକାର ପଦକ୍ଷେପ ସତ୍ତ୍ୱେ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରିତ ହୋଇପାରୁ ନାହିଁ । ସଂକ୍ରମଣ ସ୍ଥିର ରହିବା ପରିବର୍ତ୍ତେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୬ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୬୦୧ରେ ପହଞ୍ଚିଛି । ସେହିପରି, ୨୪ ଘଣ୍ଟା ଭିତରେ ଆଉ ୪୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ କରୋନା ମୃତ୍ୟୁସଂଖ୍ୟା ୫୯୦କୁ ବୃଦ୍ଧି ପାଇଛି । ଲକ୍‌ଡାଉନ୍ ସତ୍ତ୍ୱେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ବର୍ତ୍ତମାନ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଲାଗୁ କରାଯାଇଛି । ଲକ୍‌ଡାଉନ୍ ସମୟରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରିତ ହେଉନଥିବାରୁ ଏହି କଟକଣା ମଇ ୩ ପରେ ବି ଜାରି ରହିବ ବୋଲି ସୂଚନା ମିଳିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୪,୭୫୯ ଆକ୍ରାନ୍ତ ସକ୍ରିୟ ସ୍ଥିତିରେ ଅଛନ୍ତି । ବିଭିନ୍ନ ହସ୍ପିଟାଲରେ ଆକ୍ରାନ୍ତମାନଙ୍କୁ ଚିକିତ୍ସାରେ ରଖାଯାଇଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୬୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩୨କୁ ବୃଦ୍ଧି ପାଇଛି । ସେହିପରି, ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଟପିଥିବା ଜଣାପଡ଼ିଛି । ଏକ ସୂତ୍ରରେ କୁହାଯାଇଛି ଯେ, ସରକାର ମଇ ୩ ପରେ ସମଗ୍ର ଦେଶରେ ଲକଡାଉନ୍ ଅବଧିକୁ ବୃଦ୍ଧି ନକରି କେବଳ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଲକ୍‌ଡାଉନ୍ କଟକଣାକୁ ବଢ଼ାଇ ପାରନ୍ତି । ସେହିପରି, ମଇ ୩ ପରେ ଲକ୍‌ଡାଉନ୍ କଟକଣା କୋହଳ କିମ୍ବା ପ୍ରତ୍ୟାହାର କରାଯିବା ପରେ ମଧ୍ୟ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ୍ ବ୍ୟବହାର ନିୟମ ବଳବତ୍ତର ରହିବ । ଏହି ଦୁଇଟି ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ । ସେହିପରି, ମଇ ୧୫ ତାରିଖ ପର୍ଯ୍ୟନ୍ତ ଟ୍ରେନ୍‌, ବିମାନ ଏବଂ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ । କେବଳ ଗ୍ରୀନ୍ ଜୋନ୍ ବା ଖୁବ୍ କମ୍ କରୋନା ମାମଲା ଥିବା ଅଞ୍ଚଳଗୁଡ଼ିକରେ ଲକ୍‌ଡାଉନ୍ ନିୟମକୁ କିଛିଟା କୋହଳ କରାଯିବ । କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ପୂର୍ବ ଭଳି କଡ଼ା କଟକଣା ଜାରି ରହିବ । ପର୍ଯ୍ୟାୟକ୍ରମେ ସ୍ଥିତିର ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ଜିଲ୍ଲା କିମ୍ବା ରାଜ୍ୟ ମଧ୍ୟରେ ଲୋକମାନଙ୍କୁ ଚଳପ୍ରଚଳ ପାଇଁ ସରକାର ମଇ ୩ ପରେ ଅନୁମତି ଦେଇପାରନ୍ତି । ମାସ୍କ୍ ଓ ସାମାଜିକ ଦୂରତା ବ୍ୟବସ୍ଥାକୁ ଯେଉଁମାନେ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ମଇ ୩ ପରେ ବାହାଘର, ବ୍ରତଘର, ଜନସମାବେଶ, ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଉପରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ ବୋଲି ଏହି ସୂତ୍ରରେ କୁହାଯାଇଛି । ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସହର କିମ୍ବା ରାଜ୍ୟ ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରନ୍ତି ।

hiranchal ad1
Leave A Reply

Your email address will not be published.

1 × two =