ଗ୍ରୀନଜୋନ ଯୋଗୁଁ ବୌଦ୍ଧରେ କୋହଳ ଲକ୍‌ଡାଉନ : ଚା’ଦୋକାନୀଙ୍କ ବଢୁଛି ଦୁଃଖ

0 812

ବୌଦ୍ଧ:ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବୌଦ୍ଧଜିଲ୍ଲାକୁ ଗ୍ରାନ ଜୋନ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ଲକଡାଉନକୁ ଟିକିଏ କୋହଳ କରିଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଔଷଧ ଦୋକାନ ସମେତ ତଜେରାତି, ମାଛ ମାଂସ ଦୋକାନ ଆଗରୁ ୫ଘଣ୍ଟା ଖୋଲାଯାଉଥିବାବେଳେ ଏବେ ସମୟକୁ ନେଇ ଆଉ କୌଣସି ପ୍ରତିବନ୍ଧକ ରଖାଯାଇନାହିଁ । କୃଷି ଯନ୍ତ୍ରପାତି, ବୈଦ୍ୟୁତିକ ମରାମତି ଓ ଅନ୍ୟାନ୍ୟ କେତେକ ଦୋକାନ ଗ୍ରାହକଙ୍କୁ ସେବା ଯୋଗାଇଦେବାରେ ଆଉ କଟକଣା ମଧ୍ୟନାହିଁ । ଲକ୍‌ଡାଉନ ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ଚା’ଦୋକାନୀମାନେ । ଦୁଇ ତିନି ହଜାର ଟଙ୍କାକୁ ପୁଞ୍ଜିକରି ଚା’ଦୋକାନ ଦେଇଥିବା ବୌଦ୍ଧ ସହରର ବ୍ୟବସାୟୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଲକ୍‌ଡାଉନରେ । ଚା’ ଦୋକାନଟିଏ ଖୋଲି ଯେନତେନ ପ୍ରକାରେ ପରିବାର ପ୍ରତିପୋଷଣ କରିଆସୁଥିବା ଏହି ଚା’ ଦୋକାନୀମାନଙ୍କ ଉପରେ ଏବେ ପରିବାର ଚଳାଇବାର କୌଣସି ବାଟ ଦିଶୁନାହିଁ । ଯେଉଁମାନେ ଖାଉଟିକାର୍ଡ ପାଇଛନ୍ତି ସେମାନେ କେବଳ ଜଣପିଛା ୫କେଜି ଚାଉଳ ଓ ୧ହଜାର ଟଙ୍କାର ସରକାରୀ ସହାୟତା ସିନା ପାଇଥିବେ କିନ୍ତୁ ଯେଉଁମାନଙ୍କ କାର୍ଡ ନାହିଁ ସେମାନଙ୍କ ନିକଟରେ ଭାତମୁଠେ ଖାଇବାକୁ ମଧ୍ୟ ସମ୍ବଳ ନାହିଁ । ମାଗିଯାଚି ଧାରଉଧାର କରି ୩୦ଦିନର ଲକ୍‌ଡାଉନରେ ପରିବାର ଚଳାଇ ଆସିବାପରେ ଏବେ ଆହୁରି ୧୫ଦିନ କିଭଳି ପରିବାରକୁ ଖାଇବାକୁ ଦେବେ ଚିନ୍ତା ମଧ୍ୟ କରିପାରୁନାହାନ୍ତି । ବୌଦ୍ଧଜିଲ୍ଲାର ଗ୍ରାମାଞ୍ଚଳରେ ଜାତୀୟ ରାଜପଥ କଡରେ ଚା’ଦୋକାନ ଖୋଲିଥିବା କିଛି ଦୋକାନୀ ପରିଶେଷରେ ଦୁଇ/ତିନିଦିନ ହେଲା ବାଧ୍ୟହୋଇ ଦୋକାନ ଖୋଲିଲେଣି । ବୌଦ୍ଧସହରରେ ପୋଲିସ ଓ ପ୍ରଶାସନର କଟକଣା ହେତୁ ଦୋକାନ ଖୋଲିବାକୁ କେହି ସାହସ କରୁନଥିଲେ ମଧ୍ୟ ସେମାନଙ୍କ ପାଇଁ ଏବେ ଅନ୍ନଚିନ୍ତା ଚମତ୍କାର ହୋଇପଡିଛି ।
ବୌଦ୍ଧଜିଲ୍ଲା ଗ୍ରୀନ ଜୋନ ମଧ୍ୟରେ ଥିବାରୁ ଅନେକ ବଡବଡ ଦୋକାନ, ଢାବା, ହୋଟେଲ ଆଦି ଖୋଲି ସାରିଥିବାରୁ ଅନ୍ତତଃ ସକାଳେ ଓ ସନ୍ଧ୍ୟାରେ ୨/୩ ଘଣ୍ଟା ଲେଖାଏଁ ଚା’ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବା ଦରକାର ବୋଲି ସେମାନେ କହୁଛନ୍ତି । ସରକାରଙ୍କ ସାମାଜିକ ଦୂରତାକୁ ପାଳନକରି ଲୋକଗହଳି ନକରି ଦୋକାନ ଖୋଲିବାକୁ ପ୍ରତିଶ୍ରୁତି ଦେବାକୁ ସେମାନେ ରାଜିଅଛନ୍ତି ବୋଲି ଚା ଦୋକାନୀ ଶେଷଦେବ ବଗର୍ତ୍ତି ପ୍ରକାଶ କରିଛନ୍ତି । ଚା’ ଦୋକାନୀ ମାନଙ୍କ ପ୍ରତି ଅନୁକଂପା ପ୍ରଦର୍ଶନ କରି ଜିଲ୍ଲାପାଳ ଏ ଦିଗରେ କିଛି ଗୋଟିଏ ପଦକ୍ଷେପ ତୁରନ୍ତ ନେବାର ଆବଶ୍ୟକ ବୋଲି ତ ଚା’ ଦୋକାନୀ ମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 10 =