ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ଫାଟକ ସମ୍ମୁଖରେ ଧାରଣା ଦେଲେ କାଦପଡା ଚାଷୀ

0 501

ଆଠମଲ୍ଲିକ, :ଚାଷୀ ମାନଙ୍କୁ ସ୍ୱାବାଲମ୍ବୀ ଏବଂ ଭଲ ରଜୋଗାର ସହ ଚାଷୀଙ୍କ ଦୁଃଖ ଦୂର କରିବାପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ସେଥିପାଇଁ ସରକାର କାଳିଆ ଯୋଜନା, ବଲରାମ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେ।ଗ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି । କେବଳ ଏତିକି ନୁହେଁ ବିଭିନ୍ନ ସ୍ଥାନରେ ଜଳସମ୍ପଦ ବିଭାଗ ପକ୍ଷରୁ ଉଠାଜଳସେଚନ ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯାଉଛି,କିନ୍ତୁ ବିଭାଗୀୟ କର୍ମଚାରୀଙ୍କର ଅବହେଳା କାରଣରୁ ବିଭିନ୍ନ ଯୋଜନା କରିବାପରେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ଏବେ ବି ହନ୍ତସନ୍ତ ହେଉଛନ୍ତି ଚାଷୀ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ ଆଠମଲ୍ଲିକ ବ୍ଲକ କାଦପଡାରେ ।
ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡାପଡା ଠାରେ ଚାଷୀ ମାନଙ୍କ ଜମିରେ ଜଳସେଚନ ସୁବିଧା ପାଇଁ ୩୯୪୫,୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ହୋଇଥିବା କାଦପଡା ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ଚଳିତ ବର୍ଷ ସେପ୍ଟେମ୍ବର ମାସରେ କାର୍ଯ୍ୟଶେଷ ହେବାପରେ, ସ୍ଥାନୀୟ ଚାଷୀ ମାନେ ଏଥର ଜମିରେ ପାଣି ସମସ୍ୟା ନଦେଖାଯିବା ଭଲ ଫସଲ ଅମଳ ହେବ ବୋଲି ବେଶ୍‌ ଆଶାବାଦୀ ଥିଲେ । କିନ୍ତୁ ସେଠାରେ ସରକାରୀ ମାଲ୍‌ ଦରିଆ ମେ ଡାଲ୍‌ ଭଳି ପରିସ୍ଥିତି ଦେଖାଦେଇଛି । ପ୍ରକଳ୍ପରେ ଫମ୍ପା ମାଠିଆରେ ଶବ୍ଦ ବେଶି ଭଳି ଗର୍ଜନ କରି ମଟର ଚାଲୁଥିଲେ ମଧ୍ୟ ଚାଷୀଙ୍କ ଜମିରେ ବୁନ୍ଦାଏ ବି ଜଳ ପହଞ୍ଚୁନଥିବା ନେଇ ଅଭିଯୋଗ ହେଉଛି । ଫଳରେ ଚାଷ ଜମି ଫାଟି ଆଁ କରିବା ସହିତ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିବା ନେଇ ସ୍ଥାନୀୟ ଚାଷୀମାନେ କହିଛନ୍ତି । ତେବେ ଏ ସମ୍ବନ୍ଧରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ କର୍ମଚାରୀ କର୍ଣ୍ଣପାତ କରୁନାହାନ୍ତି । ସେଥିପାଇଁ ଶେଷରେ କୌଣସି ଉପାୟ ନପାଇ କାଦପଡା ଗ୍ରାମବାସୀ ପ୍ରକଳ୍ପ ଫାଟକ ସମ୍ମୁଖରେ ଧାରଣା ରେ ବସିରହିଛନ୍ତି । ଏମିତିକି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଏହି ଅନ୍ଦୋଳନ ବ୍ୟାପକ ହେବା ସହିତ ନବୀନ ନିବାସ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଧାରଣାରେ ବସିଥିବା କାଦପଡା ଚାଷୀମାନେ ପ୍ରକାଶ କରିଛନ୍ତି । କିଛି ଚାଷୀ ଋଣ ଆଣି ଚାଷ କାର୍ଯ୍ୟରେ ଅର୍ଥ ବିନିଯୋଗ କରିଥିବାରୁ, ଋଣ କେମିତି ସୁଝିବେ ବୋଲି ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଧାରଣାରେ ବସିଥିବା ଚାଷୀଙ୍କ ସହ ଆଲୋଚନା କରିନାହାନ୍ତି ।
ସୂଚନାଯୋଗ୍ୟ ଯେ ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ କରି ସ୍ଥାନୀୟ କୃଷକ ମାନଙ୍କର ରଜୋଗାର ବୃଦ୍ଧିପାଇଁ, ଏହି ପ୍ରକଳ୍ପକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯ ଡିସେମ୍ବର ୨୦୨୨ ମସିହାରେ ଲୋକାର୍ପିତ କରିଥିଲେ ।
ତେବେ ସ୍ଥାନୀୟ ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ମଚାରୀ ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାପାଇଁ ସାଧାରଣରେ ଦାବୀ ହେଉଛି । ଆଜିର ଧାରଣାରେ କାଦପଡା ଗ୍ରାମର ଚାଷୀ ବନବିହାରୀ ବିଶ୍ୱାଳ, ଗଣେଶ୍ୱର ବେରିହା, ବଶିଷ୍ଠ ଦେହୁରୀ, ବୃନ୍ଦାବନ ଦେହୁରୀ, ପଦ୍ମଲୋଚନ ପ୍ରଧାନ, ଜୟନ୍ତ ମହାନ୍ତି, ମୁକୁନ୍ଦ ପ୍ରଧାନ, ସୁମନ୍ତ କର୍ଣ୍ଣ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × five =