ବୀମା ରାଶି ପାଇଁ ରାଜରାସ୍ତାରେ ପୁଣି ଗର୍ଜିଲେ କଣ୍ଟାମାଳ ଚାଷୀ: ସମିତିରେ ତାଲା ଝୁଲାଇବା ଯୋଗୁଁ ଚାଷୀ ପଞ୍ଜିକରଣ ଓ ସାର ବଣ୍ଟନ ଠପ୍‌

0 344

କଣ୍ଟାମାଳ,୨୨/୭ – କଣ୍ଟାମାଳ ସେବା ସମବାୟ ଅଧିୀନରେ ଥିବା ଚାଷୀଙ୍କୁ ଏଯାବତ ବୀମା ରାଶି ମିଳିନଥିବା ଅଭିଯୋଗ କରି ଆଜି ପୂର୍ବାହ୍ନରେ ଶତାଧିକ ଚାଷୀ ୪୧ ନଂ ରାଜ୍ୟ ରାଜପଥର କଣ୍ଟାମାଳ ବସଷ୍ଟେଣ୍ଡ ଠାରେ ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ପ୍ରକାଶ ଯେ ମରୁଡିର ଶିକାର ହୋଇଥିବା ଚାଷୀଙ୍କୁ ବୀମା ରାଶି ଦେବା ପାଇଁ ସଂପୃକ୍ତ ବୀମା କମ୍ପାନୀ କଣ୍ଟାମାଳ ସେବା ସମବାୟ ସମିତିକୁ ଅର୍ଥ ରାଶି ପ୍ରଦାନ କରିଥିଲେ ହେଁ ଦୀର୍ଘ ୫ ବର୍ଷ ପରେ ବି ଚାଷୀ ଏହି ବୀମା ରାଶି ପାଇନଥିବା ଅଭିଯୋଗ କରି ଶତାଧିକ ଚାଷୀ ଗତ ଜୁନ ମାସରୁ ନିୟମିତ ଭାବେ ସପ୍ତାହକ ବ୍ୟବଧାନରେ ଧାରଣା ଦେଇ ଆସୁଥିଲେ ହେଁ ଏଯାବତ ସେମାନଙ୍କୁ ଏହି ପ୍ରାପ୍ୟ ରାଶି ମିଳିନଥିବା ଜଣାଯାଇଛି । ସୂଚନା ପ୍ରକାରେ ୨୦୧୫ ଖରିଫ ଚାଷର ବୀମା ପାଇଁ ମୋଟ ୧୦୭୪ ଜଣ ଚାଷୀଙ୍କ ବୀମା ରାଶି ବାବଦକୁ ମୋଟ ୫୩ ଲକ୍ଷ ୬୩ ହଜାର ୬୮୨ ଟଙ୍କା କଣ୍ଟାମାଳ ସେବା ସମବାୟ ସମିତିର ଜମା ଖାତାରେ ଜମା ହୋଇଥିଲେ ହେଁ ଚାଷୀଙ୍କ ବୀମା ଛାଡ ଅର୍ଥ ରାଶି ଚାଷୀଙ୍କୁ ଏଯାବତ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଏବଂ ଗତ ଦେଢ ମାସ ହେଲା ଶତାଧିକ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇଁ ସେବା ସମବାୟ ସମିତି, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ, ତହସିଲ, ଥାନାର ଦ୍ୱାରସ୍ଥ ହୋଇଥିଲେ ହେଁ ସେମାନଙ୍କୁ ଏହି ଅର୍ଥ ରାଶି ମିଳିନଥିବା ହେତୁ ଆଜି ଅସନ୍ତୋଷ ଉତ୍ତେଜିତ ହୋଇ ସେବା ସମବାୟ ସମିତି କାର୍ଯ୍ୟାଳୟ ୪୧ ନଂ ରାଜ୍ୟ ରାଜପଥରେ ଧାରଣା ଦେଇଥିଲେ । ଚାଷୀ ମାନଙ୍କ ଅସନ୍ତୋଷ ଏବଂ ରାସ୍ତା ଅବରୋଧକୁ ଦେଖି ସ୍ଥାନୀୟ ଆଇଆଇସି ଅଶ୍ୱୀନି ଭିତିରିଆ, ଲିପସା ସେଠୀ ଓ ଆଇ.ଆର.ବି ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରି ଯାତୟାତକୁ ସ୍ୱଭାବିକ କରିଥିଲେ । ଚାଷୀଙ୍କ ଅଭିଯୋଗ ପରେ ଗତ ଜୁନ ୨୫ ତାରିଖରେ ଘଟଣାର ସତ୍ୟାସତ ପାଇଁ ବୌଦ୍ଧସ୍ଥିତ ଉପ ନିବନ୍ଧକ କଣ୍ଟାମାଳ ଆସି କଡା ସୁରକ୍ଷା ମଧ୍ୟରେ ଘଟଣାର ତଦନ୍ତ କରି ଫେରିଥିଲେ । ତଦନ୍ତ ପରେ ଚାଷୀଙ୍କୁ ସେମାନଙ୍କ ବୀମା ରାଶି ୫ ବର୍ଷର ସୁଧ ସହିତ ପ୍ରଦାନ କରାଯିବ ବୋଲି ଉପନିବନ୍ଧକ କହିଥିଲେ ହେଁ ତଦନ୍ତର ୪ ସପ୍ତାହ ପରେ ବି ଅର୍ଥ ରାଶି ନମିଳିବାରୁ ଆଜି ଚାଷୀ ବାଧ୍ୟ ହୋଇ ପୁନର୍ବାର ଆଜି ରାଜରାସ୍ତାରେ ଧାରଣା ଦେଇଥିଲେ । ଗତ ୧୬ ତାରିଖରେ ମଧ୍ୟ ଚାଷୀ କଣ୍ଟାମାଳ ତହସିଲ ବାରଣ୍ଡାରେ ଦୀର୍ଘ ୩ ଘଣ୍ଟା ଧରି ଧାରଣା ଦେବା ପରେ ବୌଦ୍ଧ ଉପ ନିବନ୍ଧକ ଓ ପ୍ରଶାସକଙ୍କ ସହ କଥା ହୋଇ କ ।ମାଳ ତହସିଲଦାର ଅର୍ଜ୍ଜୁନ ପ୍ରଧାନ ଚାଷୀଙ୍କ ବକେୟା ବୀମା ରାଶି ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ଧାରଣାରୁ ଓହରି ଯାଇଥିଲେ । ମାତ୍ର ପ୍ରତିଶୃତିର ସାତଦିନ ପରେ ବି ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ନମିଳିବା ହେତୁ ରାସ୍ତା ଅବରୋଧରୁ ଓହରି ଚାଷୀ ସେବା ସମବାୟ ସମିତିରେ ତାଲା ପକାଇ ଦେଇଥିବା ଜଣାଯାଇଛି । ତାଲା ପଡିଥିବା ହେତୁ ଚାଷୀ ପଞ୍ଜିକରଣ ଓ ସାର ନେବାକୁ ଆସିଥିବା ଚାଷୀ ନିରାଶରେ ଫେରି ଯାଇଥିବା ପ୍ରକାଶ । ଚାଷୀଙ୍କ ହକ୍‌ ଦେବାରେ ସେବା ସମବାୟ ସମିତି ଏଭଳି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିଲେହେଁ ଜିଲ୍ଲା ସମବାୟ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ନିରବତା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି ।

hiranchal ad1
Leave A Reply

Your email address will not be published.

twenty − 9 =