ଆସୁଛି ପାର୍ବଣ, ହସୁଛି କାଶ ତଣ୍ଡି

0 72

ପାରଳାଖେମୁଣ୍ଡି : ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ । ରାସ୍ତା କଡ଼ ଠାରୁ ଆରମ୍ଭ କରି ଚାଷ ଜମି ନଈପଠା ଯାଏଁ ସବୁଠି ଦହଲୁ ଥାଏ କାଶ ତଣ୍ଡି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶ ତଣ୍ଡିର ସମ୍ଭାର । ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି । ମାଆଙ୍କ ଆଗମନରେ ଧୋବ ଫରଫର ଚାଦର ଧରା ଶୋଭା ମଣ୍ଡନ କରିଛି କାଶ ତଣ୍ଡି । କାଶ ତଣ୍ଡି ଫୁଲର ଚାମର ସଂସ୍ପର୍ଶରେ ମାଆ ଦୁର୍ଗା ଅବତରଣ କରୁଥିବା ଆମ ସମାଜରେ ଲୋକ କଥା ରହିଛି । ସତେ ଯେମିତି ମର୍ତ୍ତ୍ୟ ଧାମକୁ ମାଆଙ୍କ ଆଗମନକୁ ପ୍ରକୃତି ରାଣୀ ସବୁଜ ବନାନୀ ଓ କାଶ ତଣ୍ଡି ଫୁଲରେ ସଜେଇ ହୋଇଛି । ରାସ୍ତାରେ ଯାଉଥିବା ପଥିକଟି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା କାଶ ତଣ୍ଡିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ । ଧାନ ବିଲରେ ଧରଣୀ ରାଣୀ ସବୁଜ ବନାନୀ ଓ କାଶତଣ୍ଡି ଫୁଲ ମାଆଙ୍କ ଆଗମନକୁ ଚାହିଁ ରହିଥାଏ । ପବନର ଲହରୀରେ ଦୋହଲି ସତେ ଯେପରି ଖିଲି ଖିଲି ହସୁଥାଏ । ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶ ତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ କବି ହେଉ ବା ଲେଖକ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ଉତ୍‌ଫୁଲିତ ହୋଇ କଲମରୁ ଝରି ପଡେ ଅନେକ କବିତା ।

hiranchal ad1
Leave A Reply

Your email address will not be published.

13 − ten =