ପୁରୁଣାକଟକ ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ

0 2,112

ବୌଦ୍ଧ: ବୌଦ୍ଧଜିଲ୍ଲାର ପୁରୁଣାକଟକ ଠାରେ ବିରାଜିତା ଦେବୀ ମାଁ ଭୈରବୀ କରୁଣାମୟୀ ଜଗଜ୍ଜନନୀଙ୍କ ମହିମାର ପଟାନ୍ତର ନାହିଁ । ଭକ୍ତର ଆକୁଳ ଡାକକୁ କର୍ଣ୍ଣରେ ଶୁଣି ଅବହେଳା କରିପାରିନ୍ତି ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିପାଇଁ ପ୍ରତିଦିନ ଅନେକ ମାଁଙ୍କ ଶରଣାପନ୍ନ ହେବାପାଇଁ ଛୁଟିଆସନ୍ତି ପୁରୁଣାକଟକ । ଦେବୀ ଭୈରବୀଙ୍କ ମହିମା ଯେମିତି ଅପାର ସେମିତି ଚମତ୍କାର ମଧ୍ୟ । ମାଁଙ୍କ ପାଖରେ ଭକ୍ତ ପହଞ୍ଚିଗଲେ ହୋଇଯାଏ ଭୟ ମୁକ୍ତ, ଭୁଲିଯାଏ ଦୁନିଆର ସମସ୍ତ ଦୁଃଖକଷ୍ଟ, ରୋଗଶୋକ, ମାନସିକ ସନ୍ତାପ ।


ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ଶିବଙ୍କୁ ଅପମାନିତ କରାଯାଇଥିବାରୁ ଶିବ ପ୍ରାଣବଲ୍ଲଭା ସତୀ ଯଜ୍ଞ ଅନଳରେ ଝାସ ଦିଅନ୍ତି । ମହାଦେବ କୋପାନ୍ୱିତ ହୋଇ ଦେବୀଙ୍କ ଦଗ୍ଧ ଶରୀରକୁ କାନ୍ଧରେ ବୋହି ତାଣ୍ଡବ ରଚାଇ ଚାଲନ୍ତି । ଶିବଙ୍କ କୋପଦେଖି ଦେବତାମାନେ ବିଚାରକରି ଶିବଙ୍କୁ ଶାନ୍ତ କରିବାପାଇଁ ଦାୟିତ୍ୱ ଦିଅନ୍ତି ବିଷ୍ଣୁଙ୍କୁ । ସୁଦର୍ଶନ ଚକ୍ରକୁ ପଠାଇ ଦେବୀଙ୍କ ଶରୀରକୁ କାଟିବାପାଇଁ ଆଦେଶ ଦିଅନ୍ତି ବିଷ୍ଣୁ । ଖଣ୍ଡଖଣ୍ଡ ହୋଇ ଦେବୀଙ୍କ ଶରୀରକୁ କାଟିଚାଲେ ସୁଦର୍ଶନ । ହଠାତ୍ ପଦ୍ମନାରସିଂହକଣ୍ଟକ ବନରେ ଦେବୀଙ୍କ ଶରୀରରୁ ସ୍ଖଳିତ ହୋଇଯାଏ ନାଭିଚକ୍ର । ଅର୍ଗଳିଆ ନିକଟରେ ଦେବୀଙ୍କ ନାଭିଚକ୍ରକୁ ସ୍ୱୟଂ ଶିବ ସ୍ଥାପନ କରନ୍ତି । ପରେ ଏକ ଶକ୍ତିପୀଠ ଭାବରେ ପଦ୍ମନାରସିଂହକଣ୍ଟକ ବନରେ ଆବିର୍ଭୁତା ହୁଅନ୍ତି ଦେବୀ ଭୈରବୀ । ଅପଭ୍ରଂଶ ହୋଇ କାଳକ୍ରମେ ପଦ୍ମନାରସିଂହକଣ୍ଟକ ଜନମୁଖରେ ପରିଚିତ ହୁଏ ପୁରୁଣାକଟକ ଭାବରେ ।

hiring


ଅନେକ ବର୍ଷଧରି ପୁରୁଣାକଟକ ଦେବୀ ଭୈରବୀ ମୁକ୍ତାକାଶ ତଳେ ପ୍ରକୃତି ଦ୍ୱାରା ପୂଜା ପାଇଆସୁଥିଲେ । ପୁରୁଣାକଟକ ଗଡର ସାମନ୍ତ ମହାପାତ୍ରଙ୍କ ଇଷ୍ଟଦେବୀ ଭାବେ ପୂଜା ପାଇବାପରେ ଦେବୀ ଭୈରବୀଙ୍କ ଶକ୍ତିପୀଠ ଆସିଥିଲା ଲୋକଲୋଚନକୁ । ପରବର୍ତ୍ତୀକାଳରେ ବୌଦ୍ଧର ଭଞ୍ଜବଂଶୀୟ ରାଜାମାନେ ଦେବୀଙ୍କ ପୂଜାର୍ଚ୍ଚନାର ବନ୍ଦୋବସ୍ତ କରାଇ ଯାନିଯାତ୍ରାର ଆୟୋଜନ କରାଇଥିଲେ । ପୁରୁଣାକଟକ ପାଶ୍ୱର୍ବର୍ତ୍ତୀ ୧୬ଖଣ୍ଡ ଗ୍ରାମର ଗଉଁତିଆ ଓ ଜନସାଧାରଣଙ୍କୁ ଦେବୀଙ୍କ ଶାରଦୀୟ ଷୋହଳ ପୂଜାପାଇଁ ଦେଇଥିଲେ ଦାୟିତ୍ୱ । ବଦଳରେ ପ୍ରଜାମାନେ ଲକ୍ଷ୍ମୀନାଳର ଜଳକୁ ନିଷ୍କର ଭାବେ ବ୍ୟବହାରକରି ଚାଷ କରୁଥିଲେ । ସେବାୟତ ମାନଙ୍କ ପାଇଁ ଜମିବାଡି ଖଞ୍ଜି ଦେଇଥିଲେ ।


ଦେବୀଙ୍କ ଶାରଦୀୟ ଷୋହଳ ପୂଜା ହେଉଛି ମୁଖ୍ୟପର୍ବ । ଏ ସମୟରେ ଦେବୀ ବିଭିନ୍ନ ଦିବସରେ ବିଭିନ୍ନ ବେଶ/ଅବତାରରେ ଗୁପ୍ତଭାବରେ ପୂଜାପାଇଥାନ୍ତି । ଦେବୀ ଭୈରବୀ ଆପଦ ବିପଦରେ ଭକ୍ତକୁ ପଣତ ଘୋଡାଇ ରଖୁଥିବାର ବିଶ୍ୱାସ ଥିବାରୁ କାହିଁ କେତେଦୂରରୁ ଭକ୍ତମାନେ ପୁରୁଣାକଟକକୁ ଟାଣି ହୋଇ ଆସନ୍ତି । ଦେବୀଙ୍କ ମହିମା ସର୍ବତ୍ର ପରିଚିତ ହୋଇପାରିଛି ତ୍ରାଣକର୍ତ୍ତ୍ରୀ ଭାବରେ ।

hiranchal ad1
Leave A Reply

Your email address will not be published.

10 − nine =