ଏଥର ରାଜ୍ୟରେ ହେବ ଡବଲ ଇଂଜିନ ସରକାର : ମୋଦୀ

0 208

ବ୍ରହ୍ମପୁର/ନବରଙ୍ଗପୁର,୬/୫ : ଏଥର ଓଡିଶାରେ ବିଜେଡି ଯିବ ଓ ବିଜେପି ଆସିବ । ପ୍ରଥମ ଥର ରାଜ୍ୟରେ ହେବ ଡବଲ ଇଂଜିନ ସରକାର । ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡିଶାକୁ ନୂଆ ଶକ୍ତି ଓ ନୂଆ ନେତୃତ୍ୱ ମିଳିବ । ଜୁନ୍‌ ୪ରେ ବିଜେଡି ସରକାର ଏକ୍ସପାୟାରୀ ହେବ ଓ ୧୦ ତାରିଖରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଫଳରେ ଡବଲ ଇଂଜିନ ସରକାର ଓଡିଶା ବିକାଶକୁ ନୂଆ ଗତି ଦେବ । ଓଡିଶାର ସମସ୍ତ ୨୧ ଲୋକସଭା ସିଟ୍‌ରେ ପଦ୍ମ ଫୁଟିବ । ବିଜେପିର ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି ।
ମୋଦି କହିଛନ୍ତି, ଓଡିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବେ,ସେ ହେବେ ମୁଖ୍ୟମନ୍ତ୍ରୀ । ଯିଏ ଓଡିଶା ଲୋକଙ୍କୁ ଜାଣିଥିବେ, ବୁଝିଥିବେ, ସେ ହିଁ ଏହି ପଦରେ ବସିବେ । ରାଜ୍ୟ ସରକାରଙ୍କ ଉପରେ ବର୍ଷି ମୋଦି କହିଛନ୍ତି, କେନ୍ଦ୍ରର ଯୋଜନାକୁ ବିଜେଡି ସରକାର ଲାଗୁ କରୁନି । ଯାହା ଲାଗୁ କରୁଛନ୍ତି, ସେଥିରେ ନିଜ ଷ୍ଟାମ୍ପ ପିଟି ଦେଉଛନ୍ତି । ବହୁତ ହୋଇଗଲା, ଆପଣମାନେ ଚାହିଁଲେ ଆଉ ବିଜେଡିର ଗଡବଡି ଚାଲିପାରିବନି । ଓଡିଶାରେ ବିଜେପି ସରକାର ହେବ, ସାଧାରଣ ଲୋକଙ୍କୁ ସବୁ ସୁବିଧା ମିଳିବ । ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ କିଛି ବି ଅସୁବିଧା ଦୂର କରିନି । ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ ବୋଲି ପ୍ରଶ୍ନ ପଚାରିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି, ଛତିଶଗଡରେ ବିଜେପି ସରକାର ଧାନ କୁଇଣ୍ଟାଲ ପିଛା ଚାଷୀକୁ ୩୧ଶହ ଟଙ୍କା ଦେଉଛନ୍ତି । ମାତ୍ର ଓଡିଶାରେ କୁଇଣ୍ଟାଲ ପିଛା ୨୧ଶହ ଟଙ୍କାରେ ଧାନ କିଣାଯାଉଛି । ବିଜେପି ସରକାର ଆସିଲେ ଧାନ ୩୧ଶହ ଟଙ୍କାରେ କିଣାଯିବ । ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡୁଛି । ମାତ୍ର ବିଜେପି ଆସିଲେ ଓଡିଶାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।

hiring


ସେ କହିଛନ୍ତି ଯେ ମୁଁ କାହାକୁ ଦୁର୍ନୀତି କରିବାକୁ ଦେବିନି । ଯିଏ ଦୁର୍ନୀତି କରିବ, ଆପଣମାନଙ୍କ ଟଙ୍କା ଖାଇବ, ସେ ଜେଲ୍‌ ଯିବା ଥୟ । ଓଡିଶାର ହଜାର ହଜାର ବର୍ଷର ସଂସ୍କୃତି, କଳା, ଐହିତ୍ୟକୁ ମୁଁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ସର୍ବଦା ଚେଷ୍ଟିତ । ଗତ ବର୍ଷ ଆୟୋଜିତ ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱର ବଡ ବଡ ନେତା ନୂଆଦିଲ୍ଲୀ ଆସିଥିଲେ । ସେତେବେଳେ ସ୍ଥାପିତ କୋଣାର୍କ ଚକ୍ର ସମ୍ମୁଖରେ ସମସ୍ତେ ଫଟୋ ଉଠାଇଥିଲେ । ଯେପରି କାଶୀନାଥ କରିଡର ହୋଇଛି, ଅଯୋଧ୍ୟା ରାମ ମନ୍ଦିର ଭବ୍ୟ ରୂପ ଧାରଣ କରିଛି, ସେହିପରି ଜଗନ୍ନାଥ ମନ୍ଦିରକୁ ବି ଭବ୍ୟ କରିବି ବୋଲି କହିଛନ୍ତି ମୋଦି । ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ମୋଦିଙ୍କ ଗୋଟିଏ ଝଲକ ପାଇଁ ଅସହ୍ୟ ତାତିରେ ବି ସଭାସ୍ଥଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଲୋକଙ୍କ ତୁଳନାରେ ସଭା ସ୍ଥଳ ଛୋଟ ପଡି ଯାଇଥିଲା, ଫଳରେ ବହୁ ଲୋକ ବାହାରେ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଥିଲା ।
ଏହାପୂର୍ବରୁ, ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ ମୋଦୀ । ସଭା ଆରମ୍ଭରେ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କହି ତାଙ୍କର ଅଭିଭାଷଣ ଆରମ୍ଭ କରିଥିବା ବେଳେ ଜୟ ଶ୍ରୀରାମ ମଧ୍ୟ କହିଛନ୍ତି । ସେ କହିଛନ୍ତି, ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନିର୍ମାଣ କରିନାହାନ୍ତି, ଆପଣମାନଙ୍କ ଭୋଟ୍‌ ନିର୍ମାଣ କରିଛି । ଜଗନ୍ନାଥ ଭୂମିକୁ ଆପଣମାନଙ୍କ ଆଶୀର୍ବାଦ ପାଇଁ ଆସିଛି । ଏହା ପରେ ମୋଦି କହିଛନ୍ତି, ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ହେବ । ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ଅଛି । ରାଜ୍ୟରେ ଭାଜପା ସରକାର ଏଥର ଗଠନ ହେବ ଏବଂ ଓଡ଼ିଶାରେ ବିକାଶର ନୂଆ ଧାରା ପ୍ରବାହିତ ହେବ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

5 × five =