କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ : ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ନିତ କରିବା ପାଇଁ ଦାବି

0 69

ରାୟଗଡ : ନୂତନ ରାୟଗଡ ରେଳ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ଏବଂ ଜିଲ୍ଳାରେ ରେଳ ଯୋଗାଯୋଗ ସହ ରେଳପଥ ବିକାଶ ସମେତ କଳାହାଣ୍ଡି ଜିଲ୍ଳାରେ ଇଲେକ୍ଟ୍ରି ଲୋକମୋଟେଭି ୱାଗନ କାରଖାନା ଏବଂ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ନୂଆଦିଲ୍ଳୀ ଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ନୂତନ ଭାବେ ଦାୟିତ୍ୱ ନେଇଥିବାରୁ ରେଳ ବିଭାଗକୁ ନେଇ ଏକ ସମୀକ୍ଷା କରିବା ପରେ ଓଡିଶାରେ ରେଳପଥର ବିକାଶ ଏବଂ ରାୟଗଡ ରେଳ ଡିଭିଜନ ସହ କଳାହାଣ୍ଡିର ୱାଗନ କାରଖାନା ବିଷୟରେ ବୁଝି ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରକାଶ କରିଥିବା ନେଇ ରାଜ୍ୟସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଛନ୍ତି । ପୂର୍ବତଟ ରେଳବାଇ ଅଧିନସ୍ଥ ନୂତନ ରାୟଗଡ ରେଳ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନୁଦାନ ଟୋକନ ଅନୁଦାନ ସଦୃଶ ତେଣୁ କାର୍ଯ୍ୟକ୍ଷମ ଦିଗରେ ଅହେତୁକ ବିଳମ୍ବ ହେଉଥିବାରୁ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକତା ଅନୁଯାୟୀ ଅନୁଦାନ ପାଣ୍ଡି ପ୍ରଦାନ କରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ରାଓ ଦାବିପତ୍ରରେ ଉଲ୍‌ଳେଖ କରିଛନ୍ତି । ସେହିପରି ରାୟଗଡ ରେଳ ଷ୍ଟେସନ ପରିସରରେ ଥିବା ଆରଏମଏସରେ ସ୍ପିଡ୍‌ ପୋଷ୍ଟ ହବ୍‌ ତଥା ପାର୍ସଲ ହବ୍‌ ସେଟ୍‌ଅପ୍‌ କରିବା, ଫାଲକନାମା ଏକ୍ସପ୍ରେସ୍‌ ଟ୍ରେନ୍‌(୧୨୭୦୪) ଏବଂ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନ(୧୮୬୪୬) ତେଲଙ୍ଗାନା ରାଜ୍ୟର ସେକୁନ୍ଦରାବାଦ ଏବଂ ପଶ୍ଚିମବଙ୍ଗର ହାୱଡାକୁ ଚଳାଚଳ କରୁଥିବା ବେଳେ ଏହା ପୂର୍ବତଟ ରେଳବାଇର ରାୟଗଡ ଓ ସମ୍ବଲପୁର ଡିଭିଜନ ମଧ୍ୟରେ ଚଳାଚଳ କରୁ ନ ଥିବାରୁ ଏହି ଦୁଇ ଟ୍ରେନର ଗତିପଥ ବଦଳାଇଲେ ଏହି ଦୁଇ ଡିଭିଜନରେ ଥିବା ରେଳଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଦାବିପତ୍ରରେ ଉଲ୍‌ଳେଖ କରିଛନ୍ତି । ସେହିପରି ଛତିଶଗଡର ଜଗଦୁଲପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନିୟମିତ ଚଳାଚଳ କରୁଥିବା ଟ୍ରେନ ନମ୍ବର ୧୮୪୪୮ ହୀରାଖଣ୍ଡ ଏକ୍ସପ୍ରେସରେ ପ୍ରଥମ ଶ୍ରେଣୀ ଏସି କୋଚ ନ ଥିବାରୁ ଅନେକ ପଦାଧିକାରୀ ତଥା ଜନ ପ୍ରତିନିଧି,ସାଂସଦ ଓ ବିଧାୟକ ଏବଂ ବ୍ୟବସାୟୀମାନେ ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ଏସି କୋଚରେ ଗହଳି ମଧ୍ୟରେ ଯାତାୟାତ କରିବାକୁ ପଡୁଥିବାରୁ ସେମାନଙ୍କ ତଥା ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ହୀରାଖଣ୍ଡ ଏକ୍ସପ୍ରେସରେ ଏକ ପ୍ରଥମ ଶ୍ରେଣୀ ଏସି କୋଚ ଲଗାଯିବା ନିମନ୍ତେ ଦାବି କରିଛନ୍ତି । ଏଥିସହ ରାଜ୍ୟ ସରକାର ସ୍ପେଶାଲ ପରପୋଜ୍‌ ଭେଇକେଲ୍ସ (ଏସିପିଭି) ଯୋଜନା ଅନ୍ତର୍ଗତରେ ରେଳବାଇ ମନ୍ତ୍ରଣାଳୟ ସହ ମିଳିତ ଭାବେ ଗୁଣପୁର-ଥେରୁବାଲି, ଜୟପୁର-ନବରଙ୍ଗପୁର,ଜୟପୁର–ମାଲକାନଗିରି ଭଳି ରେଳ ପ୍ରୋଜେକ୍ଟ ହାତକୁ ନେଇଛନ୍ତି । ତେବେ ଏସବୁ ରେଳ ପ୍ରୋଜେକ୍ଟଗୁଡିକ ସଂପୂର୍ଣ୍ଣ କରିବାରେ ରେଳବାଇ ପକ୍ଷରୁ ବିଳମ୍ବତା ହେଉଥିବା ସେ ଉଲ୍ଲେଖ କରିଛନ୍ତି । ଏହି ସବୁ ରେଳ ପ୍ରକଳ୍ପ ଶେଷ ହେଲେ ଅଂଚଳର ଅର୍ଥନୈତିକ ବିକାଶ ସହ ଲୋକଙ୍କ ଜୀବିକାରେ ମଧ୍ୟ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ରାଓ ଉଲ୍ଲେଖ କରିଛନ୍ତି । ସେହିପରି ଓଡିଶାର ସୀତାପାଲି ଠାରେ ୱାଗନ ନିର୍ମାଣ କାରଖାନା ଏବଂ କଳାହାଣ୍ଡି ଠାରେ ଇଲେକଟ୍ରିକ୍‌ ଲୋକମୋଟିଭ୍‌ ରକ୍ଷାଣବେକ୍ଷଣ କର୍ମଶାଳା ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଘୋଷଣା ହୋଇଥିବା ଏହି ଦୁଇଟି ପ୍ରୋଜେକ୍ଟକୁ ରେଳବାଇ ପକ୍ଷରୁ କାର୍ଯ୍ୟାରମ୍ଭ କରାଯାଇ ପାରିନାହିଁ ବୋଲି ସାଂସଦ ଶ୍ରୀ ରାଓ ଉଲ୍ଲେଖ କରିଛନ୍ତି ଏବଂ ଯଥାଶୀଘ୍ର ରାୟଗଡ ନୂତନ ରେଳ ଡିଭିଜନ କାର୍ଯ୍ୟକ୍ଷମ ନିମନ୍ତେ ପ୍ରାଥମିକତା ଦେଇ ଅଧିକ ଅନୁଦାନ ପ୍ରଦାନ କରି ଏହାକୁ କାର୍ଯ୍ୟକ୍ଷମ କରନ୍ତୁ ବୋଲି ସାଂସଦ ଶ୍ରୀ ରାଓ ଉଲ୍ଲେଖ କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − twelve =