ଭୁବନେଶ୍ୱର : ନୂଆଁଖାଇ ପାଇଁ ଆଜି ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ। ପିଲାଠୁ ବୁଢା ଲାଗି ପଡିଛନ୍ତି ନୂଆଁଖାଇ ପ୍ରସ୍ତୁତିରେ। ଘରେ ଘରେ ନୂଆଁଖାଇ ପାଇଁ ପିଠା ପଣା ସାଙ୍ଗକୁ ଭିନ୍ନ ଭିନ୍ନ ବ୍ୟଞ୍ଜନ ତିଆରି ହେଉଛି।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ନିଜ ସୋସିଆଲ ମାଧ୍ୟମରେ ଶୁଭେଚ୍ଛା ଜଣାଇ ବାର୍ତ୍ତା ଦେଇ ରାଷ୍ଟ୍ରପତି ଲେଖିଛନ୍ତି ଯେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଁ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଅଛି । ନୂଆଁଖାଇ କେବଳ ଏକ ପାରଂପରିକ ପର୍ବ ନୁହେଁ, ପଂକ୍ତି ଭୋଜନ ଓ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ପ୍ରତୀକ ମଧ୍ୟ । ଏହି ପର୍ବ ମାଧ୍ୟମରେ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ଆହୁରି ସୁଦୃଢ଼ ହେବ ବୋଲି ମୋର ବିଶ୍ୱାସ । ନୂଆଁଖାଇ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମଗ୍ର ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,”ସମସ୍ତଙ୍କୁ ମୋର ନୂଆଁଖାଇ ଜୁହାର୍ । ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭ ଅବସରରେ ସବୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣଉଛେଁ । ନୂଆଁଖାଇ, ଖାଲି ଗୁଟେ ପରବ୍ ନାଇଁସେ, ଇଟା ଆମର୍ ମାଟି, ସଂସ୍କୃତି, ଚାଲିଚଲନ୍ ଆର୍ ସାମାଜିକ ଏକତାର୍ ପ୍ରାଣସ୍ପନ୍ଦନ୍ ଆଏ । ଇ ଆନନ୍ଦମୟ ପରବେ, ମନର୍ ସବୁ ଭେଦଭାବ, ତିକ୍ତତା ଆର୍ ଅହଂକାରକେ ପଛେ ପକେଇ କରି , ଆମେ ବଡ୍ ଗୁରୁ-ଗୁରୁଜନ୍ ମାନକର୍ ପାହାତଲେ “ଜୁହାର୍- ମୁଁଡିଆ” ଜନେଇଥିସୁଁ, ଆର୍ ସାନ ମାନଙ୍କୁ ଭଲପାଏବାର୍ ଆର୍ ଆଶୀର୍ବାଦ୍ ଦେଇଥିସୁଁ ।”
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆଁଖାଇ ଜୁହାର୍ ଜଣାଇ କହିଛନ୍ତି ‘ନୂଆଁଖାଇ ହେଉଛି ଏକତା, ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ପର୍ବ । ନବାନ୍ନ ସେବନ, ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ ବାର୍ତ୍ତା ଦେଉଛି । ଆଜିର ଏହି ମହାନ ଅବସରରେ ମା’ ସମଲେଶ୍ୱରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।
