ଗତ କିଛିଦିନ ହୋଇଯିବ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମେ ମାସ ବାତ୍ୟା ପାଇଁ ପାଗ ଅନୂକୂଳ ହୋଇଥିବାରୁ ବାତ୍ୟା ଆଶଙ୍କାକୁ ମଧ୍ୟ ଟାଳି ହେଉନାହିଁ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଯାହାଦ୍ୱାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ,ଲଘୁଚାପ କେଉଁ ଦିଗରେ ଗତି କରିବ ଓ ଏହାର ପ୍ରଭାବ କଣ ରହିବ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଆସନ୍ତା ୨୪ ଘଣ୍ଟାରେ ଘଡଘଡି ବିଜୁଳି ସହ ଭୀଷଣ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏଥିପାଇଁ ଉତ୍ତର ଓଡିଶାର ଅଧିକାଂଶ ଜିଲ୍ଲା ଭଦ୍ରକ,ମୟୂରଭଞ୍ଜ,ବାଲେଶ୍ୱର,କେନ୍ଦୁଝରକୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୧୫ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ । ତେବେ ବର୍ତ୍ତମାନ ରାଜ୍ୟରେ ଅସହ୍ୟ ଗରମ,ଗୁଳୁମୁଳି ଅନୁଭୂତ ହେଉଥିବା ବେଳେ ଆସୁଥିବା ବର୍ଷା ଆଶ୍ୱସ୍ତି ଦେଇଛି । କିନ୍ତୁ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ ।
