ଲକଡାଉନ ଭାଙ୍ଗିଦେଲା ବର୍ଷ ବର୍ଷର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପଂରପରା

0 335

ବୌଦ୍ଧ : ଆମ ଦେଶର ମହାନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରଂପରାକୁ ଚଳିତ ବର୍ଷ ଭାଙ୍ଗିଦେଲା ମହାମାରୀ କରୋନା । ଚୈତ୍ର ମାସରେ ଆରମ୍ଭ ହେଉଥିବା ଦଣ୍ଡଯାତ୍ରା ଓ ଶ୍ରୀରାମଲୀଳା ଆମ ପଶ୍ଚିମ ଓଡିଶାର ଏକ ପ୍ରାଚୀନ ସଂସ୍କୃତିର ବାର୍ତ୍ତା ବହନ କରିଥାଏ । ଦଳବଦ୍ଧ ହୋଇ ଗାଁଗାଁରେ ଚୈତ୍ର ଶୁକ୍ଳପକ୍ଷ ନବମୀରୁ ଶ୍ରୀରାମ ଜନ୍ମ ଦିନରୁ ଆରମ୍ଭ ହୋଇଯାଏ ଶ୍ରୀରାମଲୀଳା ଯାତ୍ରା । ଦିନବେଳା ସାମୂହିକ ପ୍ରସାଦ ସେବନ ଏବଂ ରାତିରେ ସାମୂହିକ ଶ୍ରୀରାମ କଥା କାହାଣୀକୁ ନେଇ ଶ୍ରୀ ରାମଲୀଳା ଅଭିନୟ ଭକ୍ତଙ୍କୁ ଶ୍ରୀରାମ ଭକ୍ତି ପ୍ରେମରେ ରସାଣିତ କରିଥାଏ । ପାରଂପରିକ ବାଦ୍ୟଯନ୍ତ୍ର ସହ ଗଗନପବନ ମୁଖରିତ ହୋଇଥାଏ ଶ୍ରୀରାମ ଭଜନ, ଜଣାଣ ଗାୟନ କଳାକାରଙ୍କ କଣ୍ଠସ୍ୱରରେ । ଆଜି ଗାଁ ଗଣ୍ଡା ନିଶବ୍ଦ । ପାରଂପରିକ ବେଶ ପୋଷାକ ଆଭୁଷଣରେ କଳାକାରମାନେ ମହର୍ଷି ବାଲ୍ମିକୀଙ୍କ ରଚିତ ରାମାୟଣ କଥାବସ୍ତୁ ଆଧାରରେ ନିଖୂଣ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ । ଚଳିତ ବର୍ଷ ଆଉ କୌଣସି ବି ଗ୍ରାମରେ ଶୁଣାଯାଉନି କି ଦେଖାଯାଉନାହିଁ, ସେହି ଆନନ୍ଦ ଉଲ୍ଲାସ ଓ ଆଧ୍ୟାତ୍ମିକତାରେ ତଲ୍ଲୀନ ହେବାର ପରିବେଶ । କରୋନାକୁ ନେଇ ଆତଙ୍କିତ ସମସ୍ତେ । ଗାଁ ଦଣ୍ଡକୁ ନିର୍ଭୟରେ ବାହାରିବାର ସାହସ କାହାର ନାହିଁ । ଖାଁ ଖାଁ ଲାଗୁଛି ଗାଁ ଦାଣ୍ଡ ।

hiring


ବୌଦ୍ଧ ଜିଲ୍ଲାର ଶତାଧିକ ଗ୍ରାମରେ ଶହଶହ ବର୍ଷ ଧରି ଶ୍ରୀରାମଲୀଳା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଦେବଗଡ ଶ୍ରୀ ରଘୁନାଥ ମନ୍ଦିରରେ ହେଉଥିବା ଶ୍ରୀରାମଲାଳା ଯାତ୍ରା ସର୍ବପ୍ରାଚୀନ ଅଟେ । ସେହିପରି ହରଭଙ୍ଗା, ବୌଦ୍ଧ ସହର, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ଶତାଧିକ ଗ୍ରାମରେ ଅବିରାମ ଭାବରେ ବର୍ଷ ବର୍ଷ ଧରି ଅନେକ ସ୍ଥାନରେ ଶ୍ରୀ ରାମଲୀଳା ଅନୁଷ୍ଠିତ ହୋଇଆସିଥାଏ । ସେହିପରି ନଦୀ ଅପରପାଶ୍ୱର୍ କିଆକଟା ପଞ୍ଚାୟତ କାଦପଡା ଗ୍ରାମରେ ମଧ୍ୟ ରାମଲୀଳା ଖୁବ ଧୁମଧାମରେ ହୋଇଥାଏ । ୭ଦିନ ଠାରୁ ଆରମ୍ଭ କରି ୨୧ଦିନ ଯାଏଁ ବିଭିନ୍ନ ଗ୍ରାମରେ ଶ୍ରୀରାମଲୀଳା ଅନୁଷ୍ଠିତ ହୁଏ । ଶ୍ରୀରାମ ଜନ୍ମଠାରୁ ଆରମ୍ଭ କରି ରାବଣବଧ ଓ ପରବରତତ୍ତୀ ଦିନ ଶ୍ରୀରାମଙ୍କ ରାଜ୍ୟାଭିଷେକ ଯାଏଁ ଉତ୍ସବ ମୁଖର ହୋଇଯାଇଥାଏ ଶ୍ରୀରଘୁନାଥଙ୍କ ଉପାସନା ହେଉଥିବା ଗ୍ରାମମାନଙ୍କରେ । ରାତିସାରା ଉଜାଗର ହୋଇ ମଞ୍ଚରେ ଅଭିନୀତ ରାମଲୀଳାକୁ ଉପଭୋଗ କରିଥାନ୍ତି ଶ୍ରୀରାମ ପିପାଷୁ ଭକ୍ତମାନେ । ବୌଦ୍ଧ ବ୍ଲକ ବହିରା ଗ୍ରାମରେ ପ୍ରାୟ ଏକମାସ ଧରି ଶ୍ରୀରାମଲୀଳା ଅଭିନୀତ ହୁଏ । କେତେକ ଗ୍ରାମରେ ବାଚନିକ ଓ ଅନ୍ୟ କେତେକ ଗ୍ରାମରେ ଗୀତ ଶୈଳୀରେ ଶ୍ରୀରାମଲୀଳା ପରିବେଷିତ ହୁଏ । ବୌଦ୍ଧ ସହରରେ ବିରାଜିତ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଅନୁଷ୍ଠିତ ରାବଣବଧ ଉତ୍ସବରେ ଲକ୍ଷାଧିକ ଜନସମାଗମ ହୋଇଥାଏ । ଉକ୍ତ ଦିନ ଦଶଟି ରାବଣ ଦଶଟି ରଥରେ ସହର ପରିକ୍ରମା କରି ରାବଣ ସହ ଯୁଦ୍ଧ କରିଥାନ୍ତି । ବାଦ୍ୟଯନ୍ତ୍ର ଓ ବାଣ ରୋଷଣରେ ଦୁଲିକି ଯାଏ ବୌଦ୍ଧ ସହର ।
କରୋନା ଖାଲି ବିଶ୍ୱରେ କିଛି ଲୋକଙ୍କ ଜୀବନ ନେଲା ତାହା ନୁହେଁ ଶହଶହ ବର୍ଷର ଆମର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରଂପରାକୁ ଭାଙ୍ଗିଦେଇଗଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

hiranchal ad1
Leave A Reply

Your email address will not be published.

three × one =