ପ୍ରଥମ ଥର ପାଇଁ କରୋନା ପ୍ରସଂଗ ଉପରେ ଜାତିସଂଘ ବୈଠକ

0 131

ନ୍ୟୁୟର୍କ :ପ୍ରଥମ ଥର ପାଇଁ କରୋନା ପ୍ରସଂଗ ଉପରେ ଜାତିସଂଘ ନିରାପତ୍ତା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । ତାହା ପୁଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଛି । ଏହି ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡିକ କନଫରେନ୍ସିଂ ମାଧ୍ୟମରେ ସେମାନଙ୍କର ମତ ଜଣାଇଥିଲେ । କରୋନା ଭାଇରସ ସଂକ୍ରମଣ ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ସମସ୍ୟା ଏବଂ ସବୁଠୁ ବଡ ବିପଦ ହୋଇଥିବାରୁ ଜାତିସଂଘ ତା\’ର ଏହି ବୈଠକରେ ଏହାକୁ ଏକ ପ୍ରମୁଖ ପ୍ରସଂଗ ଭାବରେ ଏଜେଣ୍ଡାରେ ସ୍ଥାନ ଦେଇଛି । ଅନ୍ୟ କେତେକ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି । ବର୍ତ୍ତମାନର ପରିସ୍ଥିତିରେ ଅନ୍ତର୍ଜାତୀୟସ୍ତରରେ ମିଳିତ ଭାବେ ସମସ୍ୟାର ମୁକାବିଲା ନେଇ ବୈଠକରେ ସହମତ ପ୍ରକାଶ ପାଇଛି । ପାରସ୍ପରିକ ସହଯୋଗ ଏବଂ ମିଳିତ ମୁକାବିଲା ଦ୍ୱାରା କରୋନାର ସଫଳ ମୁକାବିଲା ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ର କରୋନା ପ୍ରଭାବିତ ହୋଇଛନ୍ତି । ଆମେରିକା, ଇଟାଲି, ଫ୍ରାନ୍ସ, ସ୍ପେନ ଭଳି ଦେଶଗୁଡିକ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କର ଅର୍ଥନୈତିକ ସ୍ଥିତି ମଧ୍ୟ ଦୋହଳିବାକୁ ବସିଲାଣି । ଚୀନରୁ ଏହି ଭାଇରସ ପ୍ରଥମେ ସୃଷ୍ଟି ହୋଇଥିଲା । ଏବଂ ଏଥିଯୋଗୁଁ ଡିସେମ୍ବରରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଏହି ଦେଶ ଭୀଷଣ ଭାବରେ ପ୍ରଭାବିତ ହୋଇଥିଲା । ତେବେ ବର୍ତ୍ତମାନ ଚୀନରେ କରୋନା ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇଛି । ଉତ୍ପତ୍ତି ସ୍ଥଳ ୱୁହାନ ବର୍ତ୍ତମାନ ଲକଡାଉନ ମୁକ୍ତ । ତେବେ ଅନ୍ୟ ପ୍ରଭାବିତ ଦେଶଗୁଡିକରେ ଭାଇରସ ସଂକ୍ରମଣର ମୁକାବିଲା ପାଇଁ କ\’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା ।

hiranchal ad1
Leave A Reply

Your email address will not be published.

15 + eight =