ସରକାରୀ ତଥ୍ୟ : ପଶ୍ଚିମାଞ୍ଚଳର ୧୦ ଜିଲ୍ଲାରେ ମୋଟ ୧୪୫୦ ଜଣଙ୍କ କରୋନାରେ ମୃତ୍ୟୁ

0 120

ସମ୍ବଲପୁର, (ଶିବ ପ୍ରସାଦ ମେହେର)- କରୋନା ସଂକ୍ରମଣରେ ଲଗାମ ଲାଗି ପାରୁନାହିଁ ତ ଏଥିରେ ମୃତ ରୋଗୀଙ୍କ ସଂଖ୍ୟା ଆରମ୍ଭରୁ ହିଁ ବିବାଦରେ ରହିଆସୁଛି । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ଇତିମଧ୍ୟରେ ସରକାରୀ ତଥ୍ୟରୁ ଜଣାପଡିଛି ଯେ ପଶ୍ଚିମ ଓଡ଼ିଶାର ମୋଟ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣରୁ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୪୫୦ ହେଲାଣି, ଯଦିଓ ସମଗ୍ର ରାଜ୍ୟରେ ଏହି ସଂଖ୍ୟା ୪୯୧୪ ରହିଛି । ଗତବର୍ଷ ମାର୍ଚ୍ଚ ମାସରେ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେଲାପରେ ଏଥିରେ ଆଉ କୌଣସି ନିୟନ୍ତ୍ରଣ ଲାଗିପାରିନଥିଲା । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପ୍ରକାରେ ଲକଡାଉନ ଓ ସଟ୍‌ଡାଉନର ଘୋଷଣା କରାଯାଇଥିଲା । ଏହାର ସଂକ୍ରମଣକୁ ଲଗାମରେ ରଖିବା ପାଇଁ ହୋମ ଆଇସୋଲେଶନ ଓ କୋଭିଡ କେୟାର ସେଣ୍ଟର ଆଦି ଉପାୟ ଅବଲମ୍ବନ କରାଯାଇଥିଲା । ଏସବୁ ଉପାୟ ବଳରେ ଆମ ରାଜ୍ୟ ଓଡ଼ିଶାର ସ୍ଥିତି ଅନ୍ୟ ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଉତ୍ତମ ରହିଛି । ପ୍ରତିଦିନ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ବାବଦରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧିକୃତ ସୂଚନା ଜାରି କରାଯାଉଛି । ଏହାକୁ ଏତେ କଡାକଡି ଭାବେ ପାଳନ କରାଯାଏ ଯେ ଜିଲ୍ଲାସ୍ତରରୁ ସଂକଳିତ ତଥ୍ୟକୁ ରାଜ୍ୟ ସରକାର ସ୍ୱୀକୃତି ବିନା ସାର୍ବଜନିକ କରିବା ଉପରେ କଟକଣା ରହିଛି । ଏଣୁ ଅନେକ ସମୟରେ ସ୍ଥାନୀୟ ସ୍ତରରେ ସଂକଳିତ ତଥ୍ୟ ସହିତ ରାଜ୍ୟ ସରକାରଙ୍କ ସ୍ୱୀକୃତ ତଥ୍ୟ ମଧ୍ୟରେ ସାମଞ୍ଜସ୍ୟ ରହୁନଥିବାରୁ ବିବାଦ ଲାଗି ରହୁଥିଲା । ସବୁଠାରୁ କିନ୍ତୁ ଅଧିକ ବିବାଦ ମୃତ୍ୟୁସଂଖ୍ୟାକୁ ନେଇ ଦେଖାଯାଉଥିଲା । ଏପରି ଅଭିଯୋଗ ମଧ୍ୟ ଉଠିଥିଲା ଯେ ରାଜ୍ୟ ସରକାର ମିଥ୍ୟା ବାହିବାହି ନେବା ପାଇଁ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଚପାଇ ରଖୁଛନ୍ତି । ଏହାକୁ ନେଇ କିଛି ଲୋକେ ଅଦାଲତର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

19 − eighteen =