ପଞ୍ଜୀକରଣ ବେଳେ ଫୋନନମ୍ବର ଏଣ୍ଟ୍ରିରେ ତ୍ରୁଟି, ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରିର ଭୟ

0 166

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଧାନ ବିକ୍ରି । ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟ ୪ଟି ବ୍ଲକରେ ୧୩ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଛି । ତେବେ ଚାଷୀଙ୍କ ନାମ ପଞ୍ଜୀକରଣ ସମୟରେ ଫୋନ୍‌ ନମ୍ବର ଏଣ୍ଟ୍ରିରେ ତ୍ରୁଟି ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ଫୋନ୍‌ ନମ୍ବର ଭୁଲ୍‌ ଥିବା ଯୋଗୁଁ କେବେ ଧାନ ବିକିବା ପାଇଁ ମଣ୍ଡି କି ନେବେ, କେବେ ଟୋକନ୍‌ ମିଳିବ ସେ ନେଇ କୌଣସି ସୂଚନା ପାଇ ପାରୁନାହାନ୍ତି ଚାଷୀ । ସ୍ଥାନୀୟ ପ୍ୟାକ୍ସକୁ ଗଲେ ମଧ୍ୟ ଠିକ୍‌ ସୂଚନା ଦିଆ ଯାଉନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଫଳରେ କୌଣସି ସୂଚନା ନପାଇବା ଦ୍ୱାରା ଧାନବିକ୍ରିରେ ଚାଷୀ ମାନେ ସମସ୍ୟା ଭୋଗୁଛନ୍ତି । ଏଭଳି ସମସ୍ୟା ଦ୍ୱାରା ସ୍ୱଳ୍ପ ସମୟ ଅବଧିରେ ଧାନ ବିକି ପାରିବେ ନାହିଁ ବହୁ ଚାଷୀ । ଫଳରେ ନିଜର କଷ୍ଟ ଉପର୍ଜିତ ଫସଲକୁ ଅସାଧୁ ବ୍ୟବସାୟୀଙ୍କୁ ଟେକି ଦେବା ପାଇଁ ସେମାନେ ବାଧ୍ୟ ହେବେ ଯାହାକି ଅଧିକାରୀଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଭଳି ଅନୁମାନ କରିଛନ୍ତି ଚାଷୀମାନେ । ସରକାରୀ ଦରରେ ଧାନ ବିକି ନପାରି ଅଭାବୀ ଧାନ ବିକ୍ରିର ଶିକାର ହେବାର ଆଶଂକାରେ ଚାଷୀ । ଜିଲ୍ଲାର ହଜାର ହଜାର ଚାଷୀଙ୍କ ଫୋନ୍‌ ନମ୍ବର ଠିକ୍‌ ଭାବେ କମ୍ପ୍ୟୁଟରରେ ଏଣ୍ଟ୍ରି କରାଯାଇ ନଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ ନେତା ବୈକୁଣ୍ଠ ଶତପଥୀ । ତେବେ କିଛି କର୍ମଚାରୀ ହରବରରେ ଭୁଲ୍‌ କରିଥିବା ବେଳେ କିଛି କର୍ମଚାରୀ ଅସାଧୁ ବ୍ୟବସାୟୀଙ୍କ ସହ ହାତ ମିଳାଇ ଜାଣତରେ ଚାଷୀଙ୍କ ଫୋନ୍‌ ନମ୍ବର ଏପଟ ସେପଟ କରି ଏଣ୍ଟ୍ରି କରିଥିବା ନେଇ ଅଭିଯୋଗ ଉଠିଛି ।
ତେବେ ଏଭଳି ଭୁଲ ଫୋନ୍‌ ନମ୍ବର ଏଣ୍ଟ୍ରି ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି ବୋଲି ଏଆର୍‌ସିଏସ୍‌ଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି କିଛି ଚାଷୀ ନେତା । ତେବେ ସୋନପୁର ଏଆର୍‌ସିଏସ୍‌ ପାଣୁ ଚରଣ ସାହୁଙ୍କ କଥା ଶୁଣି ଆହୁରି ହତୋତ୍ସାହିତ ହୋଇଯାଇ ଥିଲେ ଜିଲ୍ଲା କୃଷକ ସଂଗଠନର ପ୍ରିତିନିଧି ମାନେ । ଫୋନ୍‌ ନମ୍ବର ଏଣ୍ଟ୍ରି ବେଳେ ଭୁଲ୍‌ ହୋଇଗଲା ସିନା ହେଲେ ସଂଶୋଧନ କ୍ଷମତା ତାଙ୍କ ହାତରେ ନାହିଁ ବୋଲି କହିଛନ୍ତି ଏଆର୍‌ସିଏସ୍‌ । ଆମେ ଲିଖିତ ଅଭିଯୋଗ ପାଇଲେ ଫୋନ୍‌ ନମ୍ବର ପରିବର୍ତ୍ତନ ପାଇଁ ସରକାରୀ ୱେବସାଇଟ ରେ ଦିଆଯାଇଥିବା ବ୍ୟବସ୍ଥା ଅନୁସାରେ ଫୋନ୍‌ ନମ୍ବର ପରିବର୍ତ୍ତନ ପାଇଁ ଜଣାଉଛୁ ବୋଲି ସେ କହିଛନ୍ତି । ତେବେ ଏହାରି ଭିତରେ ଏ ଅଫିସ୍‌ରୁ ସେ ଅଫିସ୍‌କୁ ଦୌଡି ଦୌଡି ଚାଷୀଙ୍କ ଦିନ ଗଡି ଯାଉଛି । ତେବେ ଜିଲ୍ଲା ସ୍ତରରେ ଏଭଳି ତ୍ରୁଟିର ସଂଶୋଧନ ପାଇଁ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × three =