ନୟାଗଡ଼ ପାଇଁ ପୂଜା କଟକଣା

0 122

ଦଶପଲ୍ଲା : ନୟାଗଡ଼ ସହରରେ ଦଶହରା ଭିଡ଼କୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଆଜି କଟକଣା ଲାଗୁ କରାଯାଇଛି । ନୟାଗଡ଼ ଏସଡିପିଓ ଶୁଭେନ୍ଦୁ ସିହ୍ନାଙ୍କ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ଡିଆଇବି ଡିଏସ୍ପି କିରଣ ହେମ୍ରମ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ପୂଜା କମିଟି ସହ ଶାନ୍ତିପୂର୍ଣ୍ଣ ଏବଂ କରୋନା ନିୟମ ପାଳନ ପୂର୍ବକ ପୂଜା କରିବାକୁ ଆଲୋଚନା କରିଛନ୍ତି । ୨୦୧୯ କରୋନା ମହାମାରୀ ନିୟମ ଭଳି ଚଳିତ ବର୍ଷ କଟକଣା ଭିତରେ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ବାଜା, ବାଣ ଏବଂ ଭଷାଣୀକୁ ବାରଣ କରାଯାଇଥିବା ବେଳେ ପୂଜା ମଣ୍ଡପରେ ଗହଳି ନକରିବାକୁ ପୂଜା କମିଟି ଦାୟିତ୍ୱ ନେବ ବୋଲି କୁହାଯାଇଛି । ମାତ୍ର ୭ ଜଣଙ୍କୁ ନେଇ ପୂଜା ପରମ୍ପରା ପାଳନ କରିବା ପାଇଁ ପୁଲିସ ପକ୍ଷରୁ ସଚେତନ କରାଯାଇଛି । ଏହି ବୈଠକରେ ପୁରୁଣା ସହର ଶିବପୂଜା କମିଟି, ସାର୍ବଜନୀନ ଦୁର୍ଗାପୂଜା କମିଟି, ଶିବାଜୀ ନଗର ଦୁର୍ଗାପୂଜା କମିଟି, ଘଡ଼ୁଆଳ ଦୁର୍ଗାପୂଜା କମିଟି, ପିଡବ୍ଲ୍ୟୁଡି ରାସ୍ତା ଆଦିଶକ୍ତି ଦୁର୍ଗାପୂଜା କମିଟି ସମେତ ସମସ୍ତ ପୂଜା କମିଟି ଉପସ୍ଥିତ ଥିବା ଜଣାଯାଇଛି । ସହରରେ ଶାନ୍ତି, ଶୃଙ୍ଖଳା ସହ ପୂଜା ପାଳନ କରିବା ପାଇଁ ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ମଧ୍ୟ ବୈଠକରେ ଉପସ୍ଥିତ ଥିବା ସୂଚନା ମିଳିଛି । କରୋନା ମହାମାରୀ ଭୟାବହତାକୁ ନେଇ ପୂଜା କମିଟି ଗୁଡ଼ିକ ଏବର୍ଷ ନିୟମ ମୂତାବକ ପୂଜା ପାଳନ କରିବେ ବୋଲି ବୈଠକରେ ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 3 =