ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନିଜନିଜ ବୁଥକୁ ଗଲେ ପୁଲିଂ ପାର୍ଟି
ପୁରୀ,୨୮/୯- ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପୁଲିଂ ପାର୍ଟି ନିଜ ନିଜ ବୁଥକୁ ଯାଇଛନ୍ତି । ଆଉ ଗୋଟିଏ ଦିନ ପରେ ନିର୍ବାଚନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ବୁଥ ହୋଇଥିବା ବେଳେ ଏଠାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜି ସକାଳୁ ପେଣ୍ଠକଟା ୱେର ହାଉସ ଠାରେ ପୁଲିଂ ପାର୍ଟି ମାନେ ଭିଡ ଜମାଇଥିଲେ । ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ, ୧୦ ଟାରୁ ୧ ଟା ପର୍ଯ୍ୟନ୍ତ ଦ୍ୱିତୀୟ ଓ ଅପରାହ୍ନ ୧ ଟାରୁ ୪ ଟା ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ପୁଲିଂ ପାର୍ଟି ମାନେ ନିଜ ନିଜ ବୁଥକୁ ଯାଇଛନ୍ତି । ପ୍ରତି ପୁଲିଂ ପାର୍ଟିରେ ସୁରକ୍ଷାକର୍ମୀଙ୍କ ସହ ୫ ଜଣ ରହିଥିବା ବେଳେ ଅତିରିକ୍ତ ୭୦ ଟି ପୁଲିଂ ପାର୍ଟି ରିଜର୍ଭ ରଖାଯାଇଛି । ପ୍ରତି ପୁଲିଂ ପାର୍ଟି ପାଇଁ ଗାଡିର ବ୍ୟବସ୍ଥା କରାଯାଇଥିଲା । ତେବେ ପୁଲିଂ ପାର୍ଟି ଯିବା ସମୟରେ ବର୍ଷା ସାମାନ୍ୟ ବାଧକ ସାଜିଥିଲା । ପୁଲିଂ ପାର୍ଟିମାନେ ୧୦ ଟି ସିଙ୍ଗଲ ୱିଣ୍ଡୋ କାଉଣ୍ଟରରୁ ଇଭିଏମ ମେସିନ୍, ଭିଭିପାଟ ସହ ଆବଶ୍ୟକୀୟ ଉପକରଣ ସଂଗ୍ରହ କରିଥିଲେ । ପିପିଲି ବିଧାନସଭା ପାଇଁ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୩୦ ତାରିଖ ସକାଳ ୬.୩୦ ରେ ମକ୍ ପୁଲିଂ ପରେ ୭ଟାରୁ ମତଦାନ ଆରମ୍ଭ ହେବ । ୨୦ ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ଓ ୭୩ ଟି ସମ୍ବେଦନଶୀଳ ବୁଥକୁ ମିଶାଇ ୧୭୫ ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୨ ଟି ବୁଥରେ ଭିଡିଓ ଉତ୍ତୋଳନର ବ୍ୟବସ୍ଥା କରାଯାଇଛି । ୨୩ ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ ହୋଇଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ନେବାଆଣିବା କରିବା ପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ବିଧାନସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ୱେର ହାଉସରେ ପହଞ୍ଚି ପୁଲିଂ ପାର୍ଟିଙ୍କୁ ମତଦାନ କେନ୍ଦ୍ରକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ଉପନିର୍ବାଚନକୁ ଶୃଙ୍ଖଳିତ କରିବାପାଇଁ ୧୯୮୩ ଜଣ ସୁରକ୍ଷାକର୍ମୀ ଓ ୩୨ ଟି ମୋବାଇଲ ଟିମ୍ ନିୟୋଜିତ ହୋଇଛନ୍ତି । ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଥିବା ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ୍ ପାଇଁ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ ସହ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି । ମୋଟ ୨ ହଜାରରୁ ଅଧିକ ପୁଲିଂ କର୍ମଚାରୀ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଆସନ୍ତା ୩ ତାରିଖରେ ପୁରୀ ପେଣ୍ଠକଟା ୱେର ହାଉସ ଠାରେ ଭୋଟ ଗଣତି କରାଯିବ ।