ନବରଙ୍ଗପୁର : ବାତ୍ୟା ଗୁଲାବର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ନଷ୍ଟ ହେଲା ୩୦୦ ରୁ ଉର୍ଦ୍ଧ୍ୱ ଏକର ମକା ଫସଲ । ବର୍ତ୍ତମାନ ଚିନ୍ତାରେ ଚାଷୀ । ଆଉ ଅଳ୍ପ ଦିନ ମଧ୍ୟରେ ମକା ଅମଳ ହୋଇଥାନ୍ତା, ୨ପଇସା ଲାଭବାନ ହୋଇଥାନ୍ତେ ମକା ଚାଷୀ । ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ରାଜ୍ୟ ଏସଆରସିଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାକୁ ଆଗୁଆ ବାତ୍ୟାର ସୂଚନା ଦେଇ ସତର୍କ ରହିବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାପରେ ନବରଙ୍ଗପୁର ଜିଲ୍ଲାପ୍ରଶାସନ ତରଫରୁ ସମସ୍ତ ପ୍ରକାର ଆଗୁଆ ସତର୍କତା ଅବଲମ୍ବନ କରି ସମସ୍ତ ପ୍ରକାର ସମସ୍ୟାକୁ ମୁକାବିଲା କରିବାକୁ ପ୍ରସ୍ତୁତି କରିଥିଲେ ଜିଲ୍ଲାପ୍ରଶାସନ । କିନ୍ତୁ ବାତ୍ୟାର ପ୍ରକପ ଦୁର୍ବଳ ହୋଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସହ ପବନ ହୋଇଥିବା ବେଳେ କିଛି ଅଞ୍ଚଳରେ ଖାଲି ମେଘୁଆ ପାଗ ରହିଥିଲା । ରବିବାର ଦିନ ପାପଡାହାଣ୍ଡି ବ୍ଲକର ନୂଆକଟ ଏବଂ କଣ୍ଟାମାଳ ପଞ୍ଚାୟତ ଅଞ୍ଚଳରେ ଜୋରରେ ପବନ ବୋହିବା ସାଙ୍ଗକୁ ବର୍ଷା ହୋଇଥିବା ଯୋଗୁଁ ଏହି ଅଂଚଳର ପାଖାପାଖି ୮ରୁ ୧୦ ଖଣ୍ଡ ଗ୍ରାମର ମକା ଫସଲ ସବୁ ଭାଙ୍ଗି ପଡିଯାଇ ନଷ୍ଟ ହୋଇଯାଇଛି । ନୂଆକଟ ପଞ୍ଚାୟତର ନୂଆକଟ, ଦସରାଭଟା, କିଣ୍ଡିଙ୍ଗଗୁଡା, ମୁଦିଗୁଡା, ଏବଂ କଣ୍ଟାମାଲ ପଞ୍ଚାୟତର ବଟକରି, ରତାଗୁଡା,କାମରାହାଣ୍ଡି, କୁଛା ଆଦି ଗ୍ରାମର ଆନୁମାନିକ ୩୦୦ ଏକରରୁ ଉଦ୍ଧ୍ୱର୍ ମକା ଫସଲ ନଷ୍ଟ ହୋଇଥିବା ମକା ଚାଷୀ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ମକା ଫସଲ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ଥିବା ଏବଂ ଆଉ ମାତ୍ର ଗୋଟିଏ ମାସ କିମ୍ୱା ୪୫ଦିନ ପରେ ମକା ଅମଳ ହେବା ସମୟ ଥିଲା, ବାତ୍ୟା ଯୋଗୁଁ ନଷ୍ଟ ହୋଇଗଲା ଏବେ କେମିତି ଋଣ ସୁଝିବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏହି ଅଂଚଳର ମକା ଚାଷୀ । ଏ ପଟେ ଏନେଇ କୃଷିବିଭାଗ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲାରେ କିଛି କ୍ଷୟ କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ଏସଆରସି ସ୍ଥାନୀୟ ଅଂଚଳର କେତେ କ୍ଷତି ହୋଇଛି ତାର କ୍ଷୟକ୍ଷତି ଆକଳନ କରାଯାଉ ବୋଲି କ୍ଷତି ସହିଥିବା ମକା ଚାଷୀ ହେମଧର ମାଝୀ ଲଛନ ମାଝୀ, ଚୈତନ୍ୟ ଗୌଡ଼, କୁଶ ଗୌଡ଼, କେଶରୀ ଗୌଡ଼, ନିତ୍ୟାନନ୍ଦ ଜାଲ, ସରଶ ଚନ୍ଦ୍ର ଜାଲ, ଭୁବନେଶ୍ୱର ଜାଲ, କ୍ଷୀରଦ ମିର୍ଗାନ, ଜଳେଶ୍ୱର ମିରଗାନ, ଜୟରାମ ବିନ୍ଧାଣି, ସୁଧୀର ସାହୁ, ବଳି ଭତରା ପ୍ରମୁଖ ଚାଷୀ ଦାବି କରିଛନ୍ତି ।