ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍ ଖାଦ୍ୟ ତାଙ୍କୁ ରୁଚୁନି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନାହାନ୍ତି। କେବଳ ସାଲାଡ ଓ ଫଲ ଖାଇ କାଟିଛନ୍ତି ଦିନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲିଭର ସମସ୍ୟା ଯୋଗୁ ସିଦ୍ଧୁଙ୍କର ଗହମରେ ଆଲର୍ଜି ରହିଛି। ତେଣୁ ସେ ଦୀର୍ଘ ଦିନ ଧରି ରୁଟି ଖାଉନାହାନ୍ତି। ପ୍ରଥମେ ୨୪ଘଣ୍ଟା ପର୍ଯ୍ୟନ୍ତ ସିଦ୍ଧୁ କିଛି ଖାଇନଥିବା ତାଙ୍କ ଆଇନଜୀବୀ କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅନୁଯାୟୀ ଖାଦ୍ୟ ଦେବା ପାଇଁ କୋର୍ଟରେ ଆବେଦନ କରାଯାଇଛି।