ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ଠାରେ ଟ୍ରାନ୍ସ ଜୁଗୁଲାର ଇଂଟ୍ରାହେପାଟିକ୍‌ ପୋର୍ଟ୍‌ ସିଷ୍ଟମିକ୍‌ ଷ୍ଟଂଟ୍‌ ପଦ୍ଧତିରେ ପ୍ରଥମ ସଫଳ ଅସ୍ତ୍ରୋପଚାର

0 38

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ରାଜ୍ୟର ପ୍ରଥମ ଟ୍ରାନ୍ସ ଜୁଗୁଲାର ଇଂଟ୍ରାହେପାଟିକ୍‌ ପୋର୍ଟ୍‌ ସିଷ୍ଟମିକ୍‌ ଷ୍ଟଂଟ୍‌ – ଟିଆଇପିଏସ୍‌ଏସ୍‌ ଚିକିତ୍ସା ପଦ୍ଧତିରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହୋଇଛି । ଆପୋଲୋ ହସ୍ପିଟାଲ୍‌ ଭୁବନେଶ୍ୱରର ବରିଷ୍ଠ କନସଲଟାଂଟ୍‌ ଡାକ୍ତର ମାନସ ରଂଜନ କରଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଓଡିଶାରେ କରାଯାଇଥିବା ଟିଆଇପିଏସ୍‌ଏସ୍‌ ଚିକିତ୍ସା ଏକ ଜଟିଳ ଚିକିତ୍ସା ପଦ୍ଧତି ।
ଯକୃତ ବା ଲିଭର ସିରୋସିସ୍‌ ଏଭଳି ରୋଗ ଯାହା ଧିରେଧିରେ ଗୁରୁତର ହୋଇ ପେଟ ଏବଂ ଏସୋଫୋଗସ୍‌ (ଖାଦ୍ୟ ନଳୀ) ରୁ ରକ୍ତସ୍ରାବ କରାଇଥାଏ ଏବଂ ଏହା ଫଳରେ ରୋଗୀର ରକ୍ତ ବାନ୍ତି ହୁଏ ଓ ତଳି ପେଟରେ ତରଳ ପଦାର୍ଥ ଜମା ହୋଇଯାଏ । ସିରୋଟିକ୍‌ ଲିଭର ଦ୍ୱାରା ସୃଷ୍ଟି ହେଉଥିବା ହାଇ ପୋର୍ଟାଲ୍‌ ଭେନସ୍‌ ପ୍ରେସର ଯୋଗୁଁ ଏହା ହୋଇଥାଏ । ଏହି ରୋଗୀମାନଙ୍କୁ ବାରମ୍ବାର ଏଣ୍ଡୋସ୍କୋପ୍‌ କରାଇ ପେଟ ଭିତରେ ଥିବା ତରଳ ପଦାର୍ଥ (ଫ୍ଲୁଇଡ୍‌ ଡ୍ରେନେଜ୍‌) ବାହାର କରିବାକୁ ପଡେ । ଏହି ପ୍ରକ୍ରିୟା ରୋଗୀମାନଙ୍କ ଉପରେ ଗୁରୁତର ମାନସିକ ଏବଂ ଶାରୀରିକ ଚାପ ସୃଷ୍ଟି କରେ । ଏହି ରୋଗୀମାନଙ୍କ ପାଇଁ ରୋଗର ଚିକିତ୍ସା ନିମନ୍ତେ ଯକୃତ ପ୍ରତିରୋପଣ କିମ୍ବା ଟିଆଇପିଏସ୍‌ଏସ୍‌ ଭଳି ମାତ୍ର ସୀମିତ ବିକଳ୍ପ ଚିକିତ୍ସା ଉପଲବ୍ଧ ହେଉଛି ।
ଶରୀରରେ ଅତି ଅଳ୍ପ ଅଂଶରେ କ୍ଷୁଦ୍ର ଛିଦ୍ର କରାଯାଇ ହେଉଥିବା ଅସ୍ତ୍ରୋପଚାର ହେଉଛି- ଟିଆଇପିଏସ୍‌ଏସ୍‌ । ଏହା ଏକ ଏଣ୍ଡୋଭାସ୍କୁଲାର୍‌ ଚିକିତ୍ସା ପଦ୍ଧତି ଯାହାକି ରେଡିଓଲୋଜିଷ୍ଟଙ୍କ ଦ୍ୱାରା କରାଯାଇଥାଏ । ଏହି ପଦ୍ଧତିରେ ଇନ୍‌ଫ୍ଲୋ ପୋର୍ଟାଲ୍‌ ଭେନ୍‌-ଯକୃତକୁ ରକ୍ତ ଯୋଗାଉଥିବା ନଳୀ ଓ ଆଉଟ୍‌ ଫ୍ଲୋ ହେପାଟିକ୍‌ ଭେନ୍‌-ଯକୃତରୁ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ ରକ୍ତବାହୀ ନଳୀ ମଧ୍ୟରେ ଏକ କୃତ୍ରିମ ଡାଇରେକ୍ଟ ଚ୍ୟାନେଲ୍‌ ତିଆରି କରାଯାଏ । ଏହି ପଦ୍ଧତିରେ ରୋଗୀଙ୍କୁ ଲୋକାଲ ଆନାସ୍ଥେସିଆ ଦେଇ ବେକର ଶୀରା ବାଟେ ଲିଭର ର ଭେନସ ଚ୍ୟାନେଲ (ହେପାଟିକ୍‌ ଭେନ୍‌) ମଧ୍ୟକୁ ଏକ କ୍ଷୁଦ୍ର କ୍ୟାଥ୍ରଡର୍‌ ଟ୍ୟୁବ ବା ପାଇପ୍‌ ପ୍ରବେଶ କରାଯାଏ । ଫଳରେ ହେପାଟିକ୍‌ ଭେନ୍‌ ଓ ପୋର୍ଟାଲ ଭେନ୍‌ ମଧ୍ୟରେ ବେଲୁନ୍‌ ବ୍ୟବହାର କରାଯାଇ ଏକ ନୂଆ ଟ୍ରାକ ନିର୍ମାଣ ହୋଇଥାଏ ଏବଂ ଏକ୍ସ ରେ ଓ ଅଲ୍ଟ୍ରାସାଉଣ୍ଡ ଜରିଆରେ ଏକ କୃତ୍ରିମ ଷ୍ଟେଂଟ୍‌ ଲଗାଯାଇ ଏହି ଷ୍ଟେଂଟ୍‌ ବାଟେ ଯକୃତକୁ ବାଇପାସ୍‌ କରି ରକ୍ତ ସିଧାସଳଖ ହୃତ୍‌ପିଣ୍ଡକୁ ପ୍ରବେଶ କରିଥାଏ । ଏହି ପଦ୍ଧତିରେ ରୋଗୀ ସାଧାରଣତଃ ସେହି ଦିନ ଚଲାବୁଲା କରିବାକୁ ସକ୍ଷମ ହୋଇଯାଏ ଏବଂ ୨-୩ ଦିନ ମଧ୍ୟରେ ଡିସଚାର୍ଜ ହୋଇଯାଏ । ଏଥିରେ କୌଣସି ପ୍ରକାର କଟାକଟି / ସାଧାରଣ ଆନାସ୍ଥେସିଆ ବ୍ୟବହାର କରିବା ଆବଶ୍ୟକ ହୁଏ ନାହିଁ ।
ଡକ୍ଟର ମାନସ ରଂଜନ କରଙ୍କ ନେତୃତ୍ୱରେ ଜଣେ ୪୩ ବର୍ଷ ବୟସ୍କ ଯକୃତର ସିରୋସିସ୍‌ ପୁରୁଷ ରୋଗୀଙ୍କ ଠାରେ ଏକ ଡାକ୍ତରୀ ଦଳ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଏହି ଚିକିତ୍ସା ପଦ୍ଧତିର ସଫଳ ପରୀକ୍ଷଣ କରିଛନ୍ତି । ଅପରେସନ୍‌ର ଦ୍ୱିତୀୟ ଦିନ ଠାରୁ ରୋଗୀଙ୍କ ପେଟରେ ଜମୁଥିବା ତରଳ ପଦାର୍ଥ ପରିମାଣ କମିଯାଇଥିଲା ଏବଂ ୩ ଦିନ ପରେ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା । ଏହି ରୋଗୀ ବରିଷ୍ଠ ଗ୍ୟାଷ୍ଟ୍ରୋଏଟ୍ରୋଂଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କ ତତ୍ୱାବଧାନରେ ଚିକିତ୍ସିତ ହେଉଥିଲେ ଓ ଡାକ୍ତର କାଦମ୍ବିନୀ ପରିଡା ଆନାସ୍ଥେସିଆ ପରିଚାଳନା କରିଥିଲେ । ଆପୋଲୋ ହସପିଟାଲ୍‌, ଭୁବନେଶ୍ୱର ସିଓଓ ଏବଂ ଡାଇରେକ୍ଟର ମେଡିକାଲ ସର୍ଭିସେସ୍‌ ଡାକ୍ତର ଆଲୋକ ଶ୍ରୀବାସ୍ତବ ରାଜ୍ୟରେ ପ୍ରଥମ ଟ୍ରାନ୍ସ ଜୁଗୁଲାର ଇଂଟ୍ରାହେପାଟିକ୍‌ ପୋର୍ଟ୍‌ ସିଷ୍ଟମିକ୍‌ ଷ୍ଟଂଟ୍‌ – ଟିଆଇପିଏସ୍‌ଏସ୍‌ ଅସ୍ତ୍ରୋପଚାର କରି ସଫଳ ହୋଇଥିବା ବିଶେଷଜ୍ଞ ଡାକ୍ତର ଓ ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟରେ ଅଧିକରୁ ଅଧିକ ସିରୋସିସ୍‌ ରୋଗୀ ଏହି ନୂତନ ଚିକିତ୍ସା ପଦ୍ଧତି ଦ୍ୱାରା ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 6 =