ଟେଲି ନିର୍ଦ୍ଦେଶକ ଏବେ ପରିବା ବିକାଳି

0 68

ମୁମ୍ବାଇ: ଏହି ଶିରୋନାମା ଦେଖି ଅନେକ ପାଠକ ଆଶ୍ଚର୍ଯ୍ୟ ହୋଇପାରନ୍ତି; କିନ୍ତୁ ଏହା ନିରାଟ ସତ୍ୟ । କରୋନା ପରିସ୍ଥିତି ବହୁ ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ଯେଉଁମାନେ କି ହଜାର ହଜାର , ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏବେ କରୋନା ଜନିତ ସଂକଟ କାରଣରୁ ରୋଜଗାର ହରାଇଛନ୍ତି । ସେମାନେ ଏଭଳି ଜୀବିକା ବାଛିଛନ୍ତି, ଯାହା ସେମାନେ କେବେବି ସ୍ୱପ୍ନରେ ବି ଭାବି ନଥିଲେ । ଏଭଳି ଜଣେ ବ୍ୟକ୍ତି ହେଲେ ଜଣାଶୁଣା ଟେଲି ନିର୍ଦ୍ଦେଶକ ରାମବୃକ୍ଷ । ‘ବାଳିକା ବଧୂ’ ଭଳି ଲୋକପ୍ରିୟ ଧାରାବାହିକରେ ୟୁନିଟ୍‌ ନିର୍ଦ୍ଦେଶକ ଭାବେ କାମ କରିଥିବା ରାମବୃକ୍ଷ ଏବେ ପରିବାର ଚଳାଇବା ପାଇଁ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି । ଲକଡାଉନରେ ସୁଟିଂ ବନ୍ଦ ହେବା ପରେ ସେ ଉତ୍ତରପ୍ରଦେଶର ଆଜମଗଡରେ ଥିବା ନିଜ ଘରକୁ ଚାଲି ଆସିଥିଲେ । କୌଣସି କାମ ନଥିବାରୁ ପରିବାରକୁ ଚଳାଇବା ପାଇଁ ସେ ପରିବା ବିକିବା ଆରମ୍ଭ କରିଥିବା କହିଛନ୍ତି ।
ତାଙ୍କ କହିବା ମୁତାବକ, ୨୦୦୨ରେ ମୋ ସାଙ୍ଗର ସହାୟତାରେ ମୁଁ ମୁମ୍ବାଇରେ ପହଞ୍ଚିଥିଲି । ଫିଲ୍ମ ଇଣ୍ଡଷ୍ଟ୍ରିର ବିଭିନ୍ନ ବିଭାଗରେ କାମ କରିବା ପରେ ଶେଷରେ ମୋତେ ନିର୍ଦ୍ଦେଶନା ଦେବା ପସନ୍ଦ ଆସିଥିଲା । ‘ବାଳିକା ବଧୂ’ ସହ ‘ଇସ୍‌ ପ୍ୟାର କୋ କ୍ୟା ନାମ ଦୁଁ’, ‘କୁଛ ତୋ ଲୋଗ କହେଙ୍ଗ’, ‘ହମାର ସୈତନ ହମାର ସହେଲି’, ‘ଝଟପଟ ଚଟପଟ’, ‘ହମାରୀ ଦେବରାଣୀ’ ଭଳି ଲୋକପ୍ରିୟ ଧାରାବାହିକରେ କାମ କରିବାର ସୁଯୋଗ ମିିଳିଥିଲା । ଅନେକ ବଲିଉଡ କଳାକାରଙ୍କ ସହ ମଧ୍ୟ ମୁଁ କାମ କରିଛି । କିନ୍ତୁ କରୋନା ପାଇଁ ଲକଡାଉନ ହେବା ପରେ ସବୁ ବଦଳିଯାଇଥିଲା । ଘରକୁ ଆସିବା ପରେ ମୋତେ ପରିବା ବିକି ଘର ଲୋକଙ୍କ ପେଟ ପୋଷିବାକୁ ପଡିଥିଲା । କିନ୍ତୁ ଏ ନେଇ ମୁଁ ଦୁଃଖିତ ନୁହେଁ । ଏବେ ସ୍ଥିତି ସ୍ୱାଭାବିକ ହେବା ପରେ ମୁଁ ପୁଣି ମୁମ୍ବାଇ ଫେରି ମୋର କାମ ଆରମ୍ଭ କରିବି ବୋଲି କହିଛନ୍ତି ରାମବୃକ୍ଷ ।

hiranchal ad1
Leave A Reply

Your email address will not be published.

eighteen − one =