ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଗଣିବେ ୨ଲକ୍ଷ , ୭ ବର୍ଷ ଜେଲ

0 99

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ବିରୋଧରେ ଆଗଧାଡ଼ିରେ ରହି ଜୀବନକୁ ବାଜି ଲଗାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଛନ୍ତି । ଏହାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ ଦିଆଯାଉଛି । ତେବେ ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତେ୍ୱ ବିଭିନ୍ନ ସ୍ଥାନରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରେ ଆକ୍ରମଣ ହେଉଛି । ଯାହାଫଳରେ ସେମାନଙ୍କ ଜୀବନ ବିପନ୍ନ ହେଉଛି । ଏହି କାରଣରୁ ଡାକ୍ତରମାନେ ଧର୍ମଘଟ ଆହ୍ୱାନ ମଧ୍ୟ ଦେଇଥିଲେ । ଏହି ଆକ୍ରମଣ ସ୍ଥିତିକୁ ଅତି ଗମ୍ଭୀରତାର ସହ ବିଚାରକୁ ନେଇ କେନ୍ଦ୍ର ସରକାର ଏକ କଠୋର ଆଇନ୍ ପ୍ରସ୍ତୁତ କରିଛନ୍ତି । ଏଣିକି କୌଣସି ସ୍ଥାନରେ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ ହେଲେ ତାହାକୁ ଜାମିନ୍ବିହୀନ (ଏନବିଡବ୍ଲୁ) ଅପରାଧ ଭାବେ ବିବେଚନା କରାଯିବ । ସମ୍ପୃକ୍ତ ଆକ୍ରମଣକାରୀଙ୍କ ଉପରେ ଦୁଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଜୋରିମାନା ଲାଗୁ କରାଯିବ । ତା’ସାଙ୍ଗକୁ ସାତ ବର୍ଷ ଜେଲ ଦଣ୍ଡ ମଧ୍ୟ ଦିଆଯିବ । ଏଭଳି ବ୍ୟବସ୍ଥା ଥିବା ଏକ ଅଧ୍ୟାଦେଶ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଗୃହୀତ ହୋଇଛି । ଏହି ଆଇନ ଆକ୍ରମଣ ଘଟଣାକୁ ନିୟନ୍ତ୍ରଣ କରିବା ଦିଗରେ ସଫଳ ହେବ ବୋଲି ସରକାର ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କରୋନା ଭଳି ଏକ ପ୍ରାଣଘାତୀ ଓ ଭୟଙ୍କର ଭାଇରସ ବିରୋଧରେ ସ୍ୱାସ୍ଥ୍ୟକର୍ମୀମାନେ ଅହରହ ସଂଘର୍ଷ କରୁଛନ୍ତି । ବହୁ ସ୍ୱାସ୍ଥ୍ୟକର୍ମୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ଘରକୁ ଯାଇପାରୁ ନାହାଁନ୍ତି । ଅନେକ ଡାକ୍ତରଙ୍କ ସମୟ ସେମାନଙ୍କ ଗାଡ଼ି ଭିତରେ ହିଁ କଟୁଛି । କରୋନା ରୋଗୀଙ୍କ ଚିକିସôା କରୁଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ କେତେକ ସ୍ଥାନରେ ଲୋକମାନେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି । କେତେକ ଲୋକ ବିଚିତ୍ର ଅଭିଯୋଗ କରିଛନ୍ତି । ସେମାନେ କହୁଛନ୍ତି ଯେ, ଏହି ସ୍ୱାସ୍ଥ୍ୟକର୍ମୀମାନେ ହିଁ ସଂକ୍ରମଣ କରାଉଛନ୍ତି । ଏଭଳି ଧାରଣା ରଖି ସେମାନେ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରୁଛନ୍ତି । ଘଟଣାର ଗୁରୁତ୍ୱକୁ ବିଚାରକୁ ନେଇ ସରକାର ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏଭଳି ଆଇନ ପ୍ରସ୍ତୁତ କରିଛନ୍ତି । ଏହି ଅଧ୍ୟାଦେଶ ବଳରେ ଉପରୋକ୍ତ ଦଣ୍ଡ ବ୍ୟବସ୍ଥା ଲାଗୁ କରାଯିବ । ଆମେ ଜିରୋ ଟଲେରାନ୍ସ ନୀତି ଆପଣାଇଛୁ । ଏକ ସଭ୍ୟ ସମାଜରେ ଏଭଳି ଘଟଣା ଘଟିବାକୁ ଆମେ ଦେବୁ ନାହିଁ ବୋଲି ସେ କହିଛନ୍ତି । ମହାମାରୀ ଆଇନ୍ରେ ସଂଶୋଧନ ପାଇଁ ଏଭଳି ଏକ ଅଧ୍ୟାଦେଶ ପ୍ରସ୍ତୁତ କରାଯାଇଛି । ଏହି ଅଧ୍ୟାଦେଶ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଟେଣ୍ଡାଣ୍ଟ ଏବଂ ଆଶା କର୍ମୀମାନଙ୍କୁ ସୁରକ୍ଷା ଦେବ । ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବୀମା ସୁବିଧା ମଧ୍ୟ ମିଳିବ । ଉଲ୍ଲେଖଯୋଗ୍ୟ ଯେ, ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ଭାରତୀୟ ଡାକ୍ତର ସଂଘ (ଆଇଏମ୍ଏ) ଆଜି ପ୍ରତିକାତ୍ମକ ଆନେ୍ଦାଳନ କରିବାର କାର୍ଯ୍ୟକ୍ରମ ଥିଲା; କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କ ପ୍ରତିଶ୍ରୁତି ପରେ ଡାକ୍ତରମାନେ ଏହି ଆନେ୍ଦାଳନରୁ ଆଜି ଓହରି ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − ten =