ବଡବଡିଆ ତ ଏମିତି : ଲକଡାଉନରେ ଆଡମ୍ବରପୂର୍ଣ୍ଣ ବିବାହ

0 111

ବାଙ୍ଗାଲୋର, କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଭିଡିକୁ ବନ୍ଦ କରିବା ଉପରେ ସରକାର କଡା କଟକଣା ଲାଗୁ କରିଛନ୍ତି । ଭିଡ ରୋକିବା ପାଇଁ ସରକାର ବିବାହ ଓ ବ୍ରତୋପନୟନ ଉତ୍ସବ, ସଭାସମିତି, ସମାବେଶ ଭଳି କାର୍ଯ୍ୟକ୍ରମ ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି । ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରିବ ତେବେ କାର୍ଯ୍ୟାନୁଷ୍ଟାନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । କିନ୍ତୁ ବଡବଡିଆ ତଥା ଭିଆଇପିମାନେ ଏହାକୁ ଉଲ୍ଲଂଘନ କରୁଥିବା ଘଟଣା ସାମ୍ନାକୁ ଆସିଛି । ସାଧାରଣ ଲୋକ ତ ଭିନ୍ନ କଥା ଯେଉଁମାନେ ନିୟମ ତିଆରି କରୁଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଉଲ୍ଲଂଘନ କରୁଛନ୍ତି । କର୍ଣ୍ଣାଟକରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ସବୁ ମହଲେର ପ୍ରତିକ୍ରିୟା ପ୍ରକାଶ ପାଇଛି । କର୍ଣ୍ଣଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ ଏବଂ ପୂର୍ବତନ କଂଗ୍ରେସ ମନ୍ତ୍ରୀ କ୍ରିଷ୍ଣାପାଙ୍କ ଝିଅ ରେବତୀଙ୍କ ମଧ୍ୟରେ ବିବାହ ଉତ୍ସବର ଭିଡିଓ ଭାଇରାଲ ହୋଇଛି । ଏମାନେ ଜଣେ ଜଣେ ପୂର୍ବତନ ଲୋକ ପ୍ରତିନିଧି ହୋଇଥିଲେ ମଧ୍ୟ ଲକଡାଉନ ସମୟରେ ଏଭଳି କାର୍ଯ୍ୟକ୍ରମ କିପରି କରିପାରିଲେ ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି । ଏହି ବିବାହ ଉତ୍ସବରେ ଶତାଧିକ ଅତିଥି ଯୋଗ ଦେଇଥିଲେ । ରୋଷେୟା, ପିଅନ, ଶ୍ରମିକ ଏବଂ ଅନ୍ୟମାନଙ୍କୁ ମିଶାଇ ଦେଲେ ଉତ୍ସବରେ ଲୋକଙ୍କ ସଂଖ୍ୟା ୫୦୦ ଅତିକ୍ରମ କରୁଥିବା ହିସାବ କରାଯାଇଛି । ଏଭଳି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଏ ନାରାୟଣ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ ପୂର୍ବତନ କଂଗ୍ରେସ ମନ୍ତ୍ରୀ କ୍ରିଷ୍ଣାପାଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ ସାଂଘାତିକ ଓ ଖୋଲା ଉଲ୍ଲଂଘନ ହୋଇଥିବାରୁ ସେମାନଙ୍କୁ କଦାପି ଛଡାଯିବ ନାହିଁ ।

hiranchal ad1
Leave A Reply

Your email address will not be published.

1 × five =