ଏହି ଆଞ୍ଚଳିକ ଦଳ ସବୁଠୁ ଧନୀ

0 36

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନଙ୍କର ଜମା ଓ ସଂପତ୍ତିର ତାଲିକା ‘ଆସୋସିଏନସ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ’ (ଏଡିଆର୍‌) ପକ୍ଷରୁ ପ୍ରକାଶ କରାଯାଇଛି । ଏହି ତାଲିକାରେ ଆଞ୍ଚଳିକ ଦଳମାନଙ୍କ ଭିତରେ ପ୍ରଥମ ସ୍ଥାନରେ ସମାଜବାଦୀ ପାର୍ଟି ଥିବା ବେଳେ ଅଷ୍ଟମ ସ୍ଥାନରେ ରହିଛି ବିଜୁ ଜନତା ଦଳ । ବିଜେଡିର ବ୍ୟାଙ୍କ୍‌ ଫିକ୍ସଡ୍‌ ଡିପୋଜିଟ୍‌ ପରିମାଣ ୧୧୮.୪୨ କୋଟି ଟଙ୍କା ଥିବା ବେଳେ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୨୮,୭୫୨ କୋଟି ଟଙ୍କା ରହିଛି ଏଡିଆର୍‌ ରିପୋର୍ଟରୁ ଜଣାପଡିଛି । ‘ଏଡିଆର୍‌’ ରିପୋର୍ଟ ଅନୁସାରେ, ଫିକ୍ସଡ୍‌ ଡିପୋଜିଟ୍‌ କ୍ଷେତ୍ରରେ ୧୦ଟି ଶ୍ରେଷ୍ଠ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଛି ବିଜେଡି । ୪୩୪.୨୧୯ କୋଟି ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ଥାଇ ‘ସମାଜବାଦୀ ପାର୍ଟି’ ଏହି ତାଲିକାର ସର୍ବାଗ୍ରେ ରହିଛି । ସେହିଭଳି, ୨୫୬.୦୧ କୋଟି ଫିକ୍ସଡ୍‌ ଡିପୋଜିଟ୍‌ ଥାଇ ‘ଟିଏଆର୍‌’ ଦ୍ୱିତୀୟ ଏବଂ ୨୪୬.୯୦ କୋଟି ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ଥାଇ ‘ଏଆଇଏଡିଏମ୍‌କେ’ ତୃତୀୟ ସ୍ଥାନରେ ରହିଛନ୍ତି । ସୂଚନାଯୋଗ୍ୟ, ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳମାନେ ଘୋଷଣା କରିଥିବା ସମ୍ପତ୍ତି ତାଲିକାକୁ ଭିତ୍ତି କରି ‘ଏଡିଆର୍‌’ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟ ଅନୁସାରେ, ବିଜେଡିର କେବଳ ବ୍ୟାଙ୍କ୍‌ରେ ‘ଫିକ୍ସଡ୍‌ ଡିପୋଜିଟ୍‌ ୧୧୮.୪୨୫ କୋଟି ଟଙ୍କା, ‘ଫିକ୍ସଡ୍‌ ଆସେଟ୍‌ସ୍‌ (ସମ୍ପତ୍ତି)’ ୧.୪୭୨ କୋଟି ଟଙ୍କା, ଅନ୍ୟାନ୍ୟ ଆସେଟସ୍‌ ୬.୨୨୩ କୋଟି ଟଙ୍କା, ଲୋନ୍‌ ଏବଂ ଅଗ୍ରୀମ ୨.୬୨୩୫ କୋଟି ଟଙ୍କା ଏବଂ ‘ଟିଡିଏସ୍‌’ ଓ ‘ଟିସିଏସ୍‌’ ୦.୦୦୮୫ କୋଟି ଟଙ୍କା । ଏସବୁକୁ ଏକତ୍ର କଲେ ବିଜେଡିର ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୧୨୮,୭୫୨ କୋଟି ଟଙ୍କା । ସେହିପରି, ଜାତୀୟ ରାଜନୈତିକ ଦଳଗୁଡିକ ମଧ୍ୟରୁ ‘ବିଜେପି’ ଓ ‘ବିଏସ୍‌ପି’ ଯଥାକ୍ରମେ ୩୨୫୩.୦୦ କୋଟି ଟଙ୍କା ଓ ପରିମାଣ ୬୧୮.୮୬ କୋଟି ଟଙ୍କା ‘ଫିକ୍ସଡ୍‌ ଡିପୋଜିଟ୍‌’ ଘୋଷଣା କରିଥିବା ବେଳେ କଂଗ୍ରେସ ୨୪୦.୯୦ କୋଟି ଟଙ୍କା ‘ଫିକ୍ସଡ୍‌ ଡିପୋଜିଟ୍‌’ ଘୋଷଣା କରିଛି । ଆର୍ଥିକ ବର୍ଷ ୨୦୧୯-୨୦ରେ ୭ଟି ଜାତୀୟ ଏବଂ ୪୪ଟି ଆଞ୍ଚଳିକ ରାଜନୈତିକ ଦଳ ଘୋଷଣା କରିଥିବା ସମ୍ପତ୍ତିର ପରିମାଣ ଯଥାକ୍ରମେ ୬୯୮୮.୫୭ କୋଟି ଟଙ୍କା ଏବଂ ୨୧୨୯.୩୮ କୋଟି ଟଙ୍କା ବୋଲି ‘ଏଡିଆର୍‌’ ରିପୋର୍ଟରେ ଉଲ୍ଲେଖ ଅଛି । ୭ଟି ଜାତୀୟ ରାଜନୈତିକ ଦଳ ମଧ୍ୟରୁ ‘ବିଜେପି’ର ସମ୍ପତ୍ତି ସର୍ବାଧିକ (୪୮୪୭.୭୮ କୋଟି ଟଙ୍କା) ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

four × two =