ବଜେଟ୍‌ ଅଧିବେଶନ ପରେ ବଦଳିବ ମନ୍ତ୍ରୀମଣ୍ଡଳ ଚେହେରା !

0 177

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ମୁଖ୍ୟମନ୍ତ୍ରୀତ୍ୱ ସମୟ ଏବେକୁ ପାଖାପାଖି ୩ ବର୍ଷ ପୂରଣ ହେବାକୁ ଯାଉଛି । ଆସନ୍ତା ୨୦୨୪ରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବ । ତେବେ ମୁଖ୍ୟମନ୍ତ୍ରୀ ଚାହିଁଲେ ରାଜ୍ୟରେ ବିଧାନସଭା ନିର୍ବାଚନ ଏହାର ଯଥେଷ୍ଟ ପୂର୍ବରୁ କରିପାରିବେ । ଏଥିପାଇଁ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ପ୍ରତ୍ୟେକ ପାଳିର ମୁଖ୍ୟମନ୍ତ୍ରୀତ୍ୱ ବେଳେ ପ୍ରାୟ ବର୍ଷେ ଦେଢବର୍ଷ ଅନ୍ତରରେ ମନ୍ତ୍ରୀମଣ୍ଡଳର ଚେହେରା ବଦଳାଇଥାନ୍ତି । ତେବେ ୨୦୨୦ ମାର୍ଚ୍ଚରୁ କୋଭିଡ୍‌ ମହାମାରୀର ଭୟାବହତା ଆରମ୍ଭ ହୋଇଯିବାରୁ ଇତି ମଧ୍ୟରେ କୋଭିଡ୍‌ ମହାମାରୀର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲହର ଅତିକ୍ରମ କରିଯାଇଛି । ରାଜ୍ୟରେ ଏବେ ସ୍ୱାଭାବିକ୍‌ ଅବସ୍ଥା ଜାରି ରହିଥିବା ବେଳେ ସବୁକିଛି ସ୍ୱାଭାବିକ୍‌ ଭାବେ କାର୍ଯ୍ୟକାରୀ ହୋଇଛି । ଆଉ ଏପରି ସମୟ ମଧ୍ୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପରେ ପରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥାର ଅନୁଷ୍ଠାନ ଗୁଡିକରେ ଏବେ ନୂଆ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ, ନାଏବ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲାପରିଷଦ ସଭାପତି ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ସେହିଭଳି ପୌର ନିର୍ବାଚନ ପରେ ଏବେ ଆସନ୍ତା ୯ ତାରିଖରେ ନୂଆ ପୌର ସଦସ୍ୟମାନେ ଶପଥ ନେବାପରେ କାର୍ଯ୍ୟଭାର ଗ୍ରହଣ କରିବେ । ସେହିଭଳି ଚଳିତ ବର୍ଷର ବିଧାନସଭାର ପ୍ରଥମ ଅଧିବେଶନ ତଥା କାମଚଳା ଅଧିବେଶନ ଆଜି ଶେଷ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଇତି ମଧ୍ୟରେ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ସେଠାରେ ଦଳର ସାଂସଦମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିବା ସହ ରାଜ୍ୟର ସ୍ୱାର୍ଥସମ୍ବଳ ବିଷୟ ଉପରେ ଦଳୀୟ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି । ଏବଂ ସଂସଦରେ ଦଳର ଅଭିମୁଖ୍ୟ କଣ ରହିବ ତାହା ଆଲୋଚନା କରି ଫେରିଆସିବା ପରେ ରାଜ୍ୟରେ ମନ୍ତ୍ରୀମଣ୍ଡଳର ଚେହେରା ପରିବର୍ତ୍ତନ ପାଇଁ ପଦକ୍ଷେପ ନେବେ ।
ଗତ ୩ବର୍ଷ ଧରି ଯେଉଁମନ୍ତ୍ରୀମାନେ ବିଭିନ୍ନ ବିଭାଗର ଦାୟିତ୍ୱରେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେକଙ୍କୁ ବାଦ ଦେବେ ଓ କେତେକ ବିଭାଗରେ ଅଦଳ ବଦଳ କରିବା ନେଇ ରାଜନୈତିକ ଆଲୋଚନା ଆରମ୍ଭ ହୋଇଛି । ବିବାଦୀୟ ହୋଇଥିବା କେତେକ ମନ୍ତ୍ରୀଙ୍କ ନାମ ଏହି ତାଲିକାରୁ ବାଦ ପଡୁଥିବା ଆଲୋଚନା ହେଉଥିବା ବେଳେ ଅପାରଗତା ଓ ସ୍ଥାଣୁତା ଆଧାରରେ କେତେ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ନୂଆ ଚେହେରାରେ କାହାକୁ ନେବେ କାହାକୁ ନନେବେ ତାହା ତାଙ୍କର ଇଚ୍ଛାଧିନ ହୋଇଥିବା ବେଳେ ଏବେ ଅଦଳବଦଳ ହେବାକୁ ଯାଉଥିବା ନୂଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି ଦଳର ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ଉମା ସାମନ୍ତରାୟ, ଦେବୀ ପ୍ରସାଦ ମିଶ୍ର, ଲତିକା ପ୍ରଧାନ ପ୍ରମୁଖଙ୍କ ନାମ ଶୁଣାଯାଉଛି । ତେବେ ପୂର୍ବରୁ ବିଭିନ୍ନ ବିବାଦରେ ଛନ୍ଦି ହୋଇ ରହିଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ପଦ୍ମନାଭ ବେହେରା, ସମୀର ରଞ୍ଜନ ଦାସ ପ୍ରମୁଖଙ୍କ ନାମ ଶୁଣାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ କେଉଁ ପଦକ୍ଷେପ ନେଉଛନ୍ତି ମନ୍ତ୍ରୀ ମଣ୍ଡଳର ଚେହେରା ପରିବର୍ତ୍ତନ ହେଉଛି କି ନା ତାହା ସମୟ କହିବ ।

hiranchal ad1
Leave A Reply

Your email address will not be published.

3 × 2 =