ନବରଙ୍ଗପୁର କଂଗ୍ରେସ ସଂସଦୀୟ କ୍ଷେତ୍ରକୁ ରାହୁ ଗ୍ରାସ

0 465

ନବରଙ୍ଗପୁର : ସୂର୍ଯ୍ୟାଲୋକ ପରି ତେଜୀୟମାନ ନବରଙ୍ଗପୁର କଂଗ୍ରେସ ସଂସଦୀୟ କ୍ଷେତ୍ର ୧୯୯୯ ମସିହା ଲୋକସଭା ନିର୍ବାଚନଠାରୁ ତେଜ ହ୍ରାସ ହେବା ଆରମ୍ଭ ହୋଇ ଧିରେ ଧିରେ ମଳିନ ପଡ଼ିବା ପରେ ଆଜି ଶେଷ ପ୍ରଦୀପ ଲିଭିଯାଇ ଘନ ଅନ୍ଧକାର ଭିତରେ ଦିଗହରା ହୋଇଯାଇଛି । ପୂର୍ବତନ କଂଗ୍ରେସ ସାଂସଦ ୨୦୧୪ ଓ ୨୦୧୯ ନିର୍ବାଚନର ଦୁଇଥର ପରାଜୟର ସାମ୍ନା କରି କଂଗ୍ରେସ କର୍ମୀଙ୍କ ତୃଣମୂଳ ସ୍ତରରେ ଚରମ ଅବହେଳା ଓ ନେତୃତ୍ୱ ମଣ୍ଡଳୀର ଭୁଲ୍‌ ନିଷ୍ପତିର ପ୍ରତିଫଳନର ପୁନରାବୃତ୍ତି ନକରିବା ପାଇଁ ଦଳ ତ୍ୟାଗ କରିଛନ୍ତି । ରାଜ୍ୟରେ ୧୯୯୯ ମସିହା ପରଠାରୁ ଦିନକୁ ଦିନ କଂଗ୍ରେସ ରାସାତଳକୁ ଚାଲିଯିବା ଯେଉଁ ଧାରା ଅନୁସାରେ ସମତୁଲ ହୋଇ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ସମସ୍ତ ବିଧାନସଭା କ୍ଷେତ୍ର ମଧ୍ୟ ସମଦଶା ଭୋଗି ଆସୁଛି । ବିଜେପି ଓ ବିଜେଡ଼ି ଗଠବନ୍ଧନରେ ୧୯୯୯ ମସିହାରେ ସ୍ୱାଧୀନତା ପରଠାରୁ କଂଗ୍ରେସ ହତାରେ ଥିବା ବିଜେପି ସାଂସଦ ପ୍ରାର୍ଥୀ ପର୍ଶୁରାମ ମାଝୀ ବାଜିମାତ କରିଥିଲେ । ଏହି ଦିନଠାରୁ ଜିଲ୍ଲା କଂଗ୍ରେସ ଘୋର ବିପକ୍ଷର ସାମ୍ନା କରିବାକୁ ପ୍ରସ୍ତୁତ ହେବା ପରିବର୍ତ୍ତେ ଆଗ ଅପେକ୍ଷା ଅତି ସହଜ ଓ ସୁବିଧାବାଦୀ ରାଜନୀତିରେ ମଜ୍ଜି ରହିଲେ । ଫଳ ସ୍ୱରୂପ ଧୀରେ ଧୀରେ ସମସ୍ତ ସାତଗୋଟି ବିଧାନସଭା ଆସନ ହାତରୁ ଚାଲିଗଲା ।
ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲା କଂଗ୍ରେସ କମିଟି ଭଙ୍ଗ କରି ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀଙ୍କ ଆସନ ରହିଛି । ନବରଂଗପୁରରେ ପିପିଲିର ସ୍ୱରରେ ଲୋକେ କହୁଛନ୍ତି ‘ ଶହେ ଘୋଡାକୁ ଶହେ ହାତୀ, ଏକା ଲଢିବ ମୁନ୍ନା ତ୍ରିପାଠୀ’ । ବର୍ତ୍ତମାନ ସଭାପତି ମୋହାଦୟ ମୁଣ୍ଡରେ ପଗଡି ବାନ୍ଧି ହତାରେ ଖଣ୍ଡା ଧରି ରଣହୁଙ୍କାର ଦେବାବେଳେ ଚତୁର୍ଦ୍ଦିଗ ନିସ୍ତବ୍ଧ ହୋଇପଡିଛି । କିଏ ପାର୍ଟୀ ରେ ଅଛି କିଏ ଗଲା ସେ ଠିକରେ ଠାଉରାଇ ପାରୁ ନାହାଁନ୍ତି । ଅତି ପ୍ରାଞ୍ଜଳ ଓ ସ୍ପଷ୍ଟ ଭାବରେ ଉଦବୋଧନ ଦେଇ ପାରୁଥିବା ବ୍ୟକ୍ତି ଦମ୍ଭୋକ୍ତି ଭାବେ କଂଗ୍ରେସ କେବେ ବି ହାର ମନିବ ନାହିଁ ବୋଲି କହିଲା ବେଳକୁ ତାଙ୍କ ପାଟି ଖନେଇ ଯାଉଥିଲା । ମୁନ୍ନା ତ୍ରିପାଠୀ ଜଣେ ଶାନ୍ତ ଓ ସତେଜ ମସ୍ତିଷ୍କ ବ୍ୟକ୍ତିତ୍ୱ ହେବା ସହ ଜଣେ ସୁସଂଗଠକ ଭାବରେ ଜିଲ୍ଲାରେ ସୁପରିଚିତ । ଦେଖାଯାଉ ଅତି ନିକଟତର ହୋଇ ଆସିଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଗରୁ ସେ କିପରି ଦଳକୁ ପୁନଃ ସଂଗଠିତ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ବିଶାଳ ଓ ପରାକ୍ରମୀ ବିପକ୍ଷଙ୍କ ସହ କେମିତି ରଣକୌଶଳ ପ୍ରସ୍ତୁତ କରିବେ । ବର୍ତ୍ତମାନ ତାଙ୍କ ସହ ତିନି ତିନିଥର କଂଗ୍ରେସ ବିଧାୟକ ପରାଜୟ ପ୍ରାର୍ଥୀ ସଦନ ନାୟକ ଓ ତିନିଥର ବିଧାୟକ ହୋଇ ବିଗତ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିବା ପ୍ରାର୍ଥୀ ଭୁଜବଳ ମାଝୀ ଛଡ଼ା ଅନ୍ୟ କୌଣସି ରାଜନୈତିକ ପଦାଧିକାରୀ ବ୍ୟକ୍ତିତ୍ୱ ନାହାନ୍ତି । ସଦନ ନାୟକ ବାୟସାଧିକ ହେତୁ ଆଗଭଳି ତୃଣମୂଳ ସ୍ତରରେ ରାଜନୀତିରେ ଜୋର ଦେଇ ପାରୁନଥିବା ବେଳେ ଶ୍ରୀ ମାଝୀ ନିଜ ନିର୍ବାଚନ ମଣ୍ଡଳୀରେ ଅନେକ କର୍ମୀଙ୍କୁ ହରେଇ ବସିଲେଣି । ଏହି ଦୁଇ ଜଣ ଭୂତପୂର୍ବ ବିଧାୟକ ଓ ହାତଗଣତି କେତେକ କର୍ମୀଙ୍କୁ ନେଇ କିପରି ଗୋଟିଚଳନା କରି ଦଳକୁ ପରିଚାଳନା କରିବେ ତାହା ଶ୍ରୀ ତ୍ରିପାଠୀଙ୍କ ରାଜନୈତିକ ଅଭିଜ୍ଞତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଦଳ ପରିତ୍ୟାଗ କରିବା ପରେ ପ୍ରଦୀପ ମାଝୀ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ ଡ଼ାକି ତାଙ୍କ ଓ ତାଙ୍କ ଆନୁଗତ୍ୟ ମାନଙ୍କ ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମାଝୀଙ୍କ ସହ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲସିକା, କଳାହାଣ୍ଡି ଜିଲ୍ଲା ନର୍ଲାର କଂଗ୍ରେସ ବିଧାୟକ ପ୍ରାର୍ଥୀ ବାବୁଲି ମଣ୍ଡଳ, ମାଲକାନଗିରିର ରାମ ନାୟକ, ମାଥିଲି ବ୍ଲକ ଅଧ୍ୟକ୍ଷା ତଥା ଚିତ୍ରକୋଣ୍ଡାର କଂଗ୍ରେସ ବିଧାୟକ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ନାୟକ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଉପସଭାପତି ତପନ ଦେବନାଥ, ନଗର ସଭାପତି ଉତ୍ତମ ତ୍ରିପାଠୀ, ରାଇଘର ବ୍ଲକ ସଭାପତି, ଓ ନବରଂଗପୁର ଜିଲ୍ଲାର ସବୁ ବ୍ଲକ ଓ ନଗର ପଦାଧିକାରୀ, କୋଟପାଡ଼ ବ୍ଲକର ସବୁ କଂଗ୍ରେସ ପଦାଧିକାରୀ, ମାଲକାନଗିରି ଜିଲ୍ଲାର ସମସ୍ତ ପଦାଧିକାରୀମାନଙ୍କ ମଧ୍ୟରୁ ନବେ ଶତକଡା କର୍ମୀ ଯୋଗ ଦେଇ କଂଗ୍ରେସ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି ।
ପ୍ରଦୀପ ମାଝୀଙ୍କ କହିବା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ପୁଅ ଭାବେ ସେ ଏହି ଅଞ୍ଚଳର ସମ୍ପୂର୍ଣ୍ଣ ବିକାଶ ଚାହୁଛନ୍ତି । କଂଗ୍ରେସ ଦଳ ବର୍ତ୍ତମାନ ପରିସ୍ଥିତିରେ କୌଣସି ସୁଯୋଗ ଦେଇପାରିବ ନାହିଁ ଲୋକଙ୍କ ସେବା କରିବା ପାଇଁ । ସେଥିପାଇଁ ସେ ବିଜୁ ବାବୁଙ୍କ ଆଦର୍ଶରେ ନବୀନ ପଟ୍ଟନାୟକଙ୍କ ଜନଭିମୁଖି ଶାସନ କାଳରେ ବିକାଶର ଧାରାରେ ଅନୁପ୍ରାଣିତ ହୋଇ ଏହି ଅଞ୍ଚଳର ଜନସାଧାରଣ ସେବା ପାଇଁ ମାନବ ସମ୍ବଳର ବିକାଶ, ସ୍ୱାସ୍ଥ୍ୟ ସେବାର ଉନ୍ନତି, ଜଳସେଚନ, ଗମନାଗମନ ସୁବିଧା ପାଇଁ ସରକାରରେ ସାମିଲ ହୋଇ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିବାପାଇଁ ସୁଯୋଗ ମିଳି ଥିବାରୁ ଦଳବଦଳ କରୁଥିବା ସ୍ପଷ୍ଟ କରିଛନ୍ତି ।
ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ସାରା ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଯୁବ କର୍ମୀଙ୍କୁ ବିଜେଡି ଦଳରେ ସାମିଲ ପ୍ରକ୍ରିୟା ଚାଲୁ ରହିବ ବୋଲି କହିଥିଲେ । ପୁଣି କ୍ଷମତାକୁ ଆସିଲେ ସେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମାଝୀ କହିଥିଲେ, ବିଜେଡି ଦଳର ଯେଉଁ ରଣନୀତି ଅଛି ଆଗାମୀ ତିରିଶି ବର୍ଷ ଯାଏଁ ଶାସନରେ ରହି ସାରା ଭାରତ ବର୍ଷରେ ରେକର୍ଡ ସୃଷ୍ଟି କରିବ ଓ କଂଗ୍ରେସ ଦଳ ସତ୍ତା ହରାଇ ସାରିଥିବ । ଏହା ସହ ଶ୍ରୀ ମାଝୀ କହିଥିଲେ ଆମ ଅଞ୍ଚଳରେ ବିକାଶ ପାଇଁ ବିଜେଡି ସରକାର ବିଭିନ୍ନ ପଦକ୍ଷେପ ନେଇ ଅଧିକ ପାଣ୍ଠି ପ୍ରଦାନ କରିବେ । ସେ ବିକାଶ ପାଇଁ ସରକାରଙ୍କ ସହ ମିଶି ଲୋକଙ୍କ ସେବା ମନୋବୃତି ନେଇ ଶେଷ ପର୍ଯ୍ୟନ୍ତ କାମ କରିବେ ।
କଂଗ୍ରେସ ଦଳର ଅଧୋଗତି ପାଇଁ ସେ ଜିଲ୍ଲା ଓ ରାଜ୍ୟ ସଭାପତିଙ୍କୁ ଦାୟୀ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଦୁଇ ହଜାରରୁ ଅଧିକ ନେତା, କର୍ମୀ ଓ ଜନସାଧାରଣ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ।
ବର୍ତ୍ତମାନ ନବରଂଗପୁର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ମାତ୍ର ହାତଗଣତି ଦୁଇ ଚାରିଟା ନେତାଙ୍କ ସହଯୋଗ ରହିଛି । ନବରଂଗପୁର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଦଳର ବିଲୁପ୍ତ ଘଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

hiranchal ad1
Leave A Reply

Your email address will not be published.

six − one =