ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ

0 28

ମୁମ୍ବାଇ: ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ସହ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଧମାଲ କରୁଛି ଗୁଜୁରାଟ ଟାଇଟନ୍ସ । ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ ଏହା ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୪୩ତମ ମ୍ୟାଚରେ ଗୁଜୁରାଟ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କରି ବିଜୟ ଧାରା ଅବ୍ୟାହତ ରଖିବା ସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଆଜିର ମ୍ୟାଚରେ ସଙ୍କଟମୋଚକ ସାଜିଥିବା ତେୱାତିଆ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି । ବାଙ୍ଗାଲୋର ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଏଯାଏ ୯ଟି ମ୍ୟାଚ୍‌ରୁ ୮ଟି ବିଜୟ ସହ ୧୬ ପଏଣ୍ଟ ପାଇଥିବା ଗୁଜରାଟ ପ୍ଲେ ଅଫରେ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଆଜି ଆରସିବି ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ୫୮ ଓ ରଜତ ପଟିଦାରଙ୍କ ୫୨ ରନ୍‌ ବଳରେ ୬ ୱିକେଟ ହରାଇ ୧୭୦ ରନ୍‌ କରିଥିଲା । ଏହାର ଜବାବରେ ଗୁଜରାଟ ରାହୁଲ ତେୱାତିଆଙ୍କ ୨୫ ବଲରେ ଅପରାଜିତ ୪୩ ଓ ଡାଭିଡ ମିଲରଙ୍କ୨୪ ବଲରେ ଅପରାଜିତ ୩୯ ରନ ବଳରେ ୩ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି । ଜିତିବା ପାଇଁ ୪ ବଲରେ ୧ ରନ୍‌ ଦରକାର ଥିବା ବେଳେ ଜୋଶ ହେଜେଲଉଡଙ୍କୁ ଚୌକା ମାରି ତେୱାତିଆ ବିଜୟ ମୁଣ୍ଡି ମାରିଥିଲେ । ୧୭୧ ରନ୍‌ର ଟାର୍ଗେଟ ପିଛା କରୁଥିବା ଗୁଜରାଟ ପାଇଁ ରିଦ୍ଧିମାନ ସାହା ଓ ଶୁବମନ ଗିଲ୍‌ ଠିକଠାକ ଆରମ୍ଭ କରିଥିଲେ । ଉଭୟ ପାୱାର ପ୍ଲେରେ କୌଣସି ୱିକେଟ ନ ହରାଇ ୭ ଓଭର୍‌ ସୁଦ୍ଧା ଦଳୀୟ ସ୍କେରକୁ ୫୧ରେ ପହଞ୍ଚାଇ ଦେଇଥିଲେ । ତେବେ ଏହି ସମୟରେ ୨୯ ରନ୍‌ କରିଥିବା ସାହାଙ୍କୁ ସ୍ପିନର ୱାନିନ୍ଦୁ ହସରଙ୍ଗା ଆଉଟ କରି ଗୁଜରାଟକୁ ପ୍ରଥମ ଝଟକା ଦେଇଥିଲେ । ଶୁବମନ ଗିଲ୍‌ ମଧ୍ୟ ୩୧ ରନ୍‌ କରି ଶାହବାଜ ଅହମଦଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ହାର୍‌ଦ୍ଦିକ ପାଣ୍ଡ୍ୟା(୩) ଅହମଦଙ୍କ ଦ୍ୱିତୀୟ ଶିକାର ବନିଥିଲେ । ସାଇ ସୁଦର୍ଶନ ଭଲ ଆରମ୍ଭ କରିଥିଲେ ମଧ୍ୟ କେବଳ ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ୱିକେଟ ହସରଙ୍ଗା ନେଇଥିଲେ । ୫୧ ରନ୍‌ରେ କୌଣସି ୱିକେଟ ହରାଇ ନଥିବା ଗୁଜରାଟ ୯୫ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଏତିକି ବେଳେ ମିଲର ଓ ତେୱାତିଆ ଯୋଡି ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ । ଉଭୟ ଦମଦାର ବ୍ୟାଟିଂ କରି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ । ବିଶେଷ କରି ତେୱାତିଆଙ୍କ ବ୍ୟାଟରୁ ବଡ ଶଟ ଦେଖିବାକୁ ମିଳିଥିଲା । ଉଭୟ ଗୁଜରାଟର ଆଉ କୌଣସି କ୍ଷତି ନ ଘଟାଇ ୩ ବଲ୍‌ ପୂର୍ବରୁ ଦଳକୁ ଚଳିତ ସଜିନରେ ୮ମ ବିଜୟ ଭେଟି ଦେଇଥିଲେ । ତେୱାତିଆ ତାଙ୍କ ୪୩ ରନ୍ର ଇନିଂସ୍‌ରେ ୫ଟି ଚୌକା ଓ ୨ଟି ଛକା ମାରିଥିବା ବେଳେ ମିଲର ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ୪୩ ରନ୍‌ କରିଥିବା ତେୱାତିଆଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି ।

hiranchal ad1
Leave A Reply

Your email address will not be published.

eight − 6 =