ଅନ୍‌ଲାଇନ୍ କ୍ଲାସ ବେଳେ ଅଶ୍ଳୀଳ ଭିଡ଼ିଓ ପ୍ରଦର୍ଶନ

0 691

ଭୁବନେଶ୍ୱର : ଲକ୍‌ଡାଉନ୍ ପାଇଁ ରାଜ୍ୟର କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ତେବେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କର ଏହି ମହତ୍ୱାକାଂକ୍ଷୀ ଉଦ୍ଦେଶ୍ୟକୁ କେତେକ ଅସାଧୁ କର୍ମଚାରୀ ବା ଛାତ୍ରଛାତ୍ରୀ ଭଣ୍ଡୁର କରିଛନ୍ତି । ନିର୍ଦ୍ଦିଷ୍ଟ ଭାବରେ ଏକ ଘରୋଇ ସ୍କୁଲରେ ଅନ୍‌ଲାଇନ୍ ପାଠପଢ଼ା ବେଳେ କେହିଜଣେ ଦୁର୍ବୃତ୍ତ ଅନ୍‌ଲାଇନ୍ ସାଇଟ୍‌ରେ ପଶି ହଠାତ୍ ଅଶ୍ଳୀଳ ଭିଡ଼ିଓ ପୋଷ୍ଟ କରିଦେଇଛି । ଯାହାଫଳରେ ପାଠ ପଢ଼ୁଥିବା ଶହଶହ ଛାତ୍ରଛାତ୍ରୀ ଓ ସ୍କୁଲର ଶିକ୍ଷକ ଏସବୁ ଦେଖି ହତବାକ୍ ହୋଇଛନ୍ତି । ଘଟଣାଟି କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ ସ୍କୁଲରେ ହୋଇଥିବା ଜଣାପଡ଼ିଛି । ଏ ନେଇ ଥାନାରେ ଏତଲା ଦାଏର ହୋଇଛି । ଏହାପରେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଅନ୍‌ଲାଇନ୍ ପାଠପଢ଼ାକୁ ଅଟକାଇ ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ଏଭଳି ଅଶ୍ଳୀଳ ଭିଡ଼ିଓ କିଏ, କିପରି ସାଇଟ୍‌ରେ ପ୍ରବେଶ କରାଇଲା ତାହା ଚିନ୍ତା ସୃଷ୍ଟି କରିଛି । ପିଲାମାନଙ୍କୁ ଦିଆଯାଇଥିବା ୟୁଜର ଆଇଡି ଓ ପାସ୍‌ୱାର୍ଡ଼ ଜରିଆରେ ନିଜ ନିଜ ଘରେ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଥିବା ବେଳେ ଏସବୁ ପିଲାଙ୍କ କମ୍ପ୍ୟୁଟର ସ୍କ୍ରିନ୍ ଓ ମୋବାଇଲ୍‌କୁ କିପରି ଆସିଲା ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି । ତେବେ ଜଣାପଡ଼ିଛି ଯେ, କେହିଜଣେ ଦୁର୍ବୃତ୍ତ ଫେକ୍ ଆଇଡି ପ୍ରସ୍ତୁତ କରି ଏଭଳି କାଣ୍ଡ ଘଟାଇଛି । ଚାଉଳିଆଗଞ୍ଜ ଥାନାଧିକାରୀ ଏ ସଂପର୍କରେ ଅଭିଯୋଗ ପାଇବା ପରେ ଆଇପିସି ଧାରା ୨୯୨ (୨ଏ) ସହିତ ଆଇଟି ଆକ୍ଟର ଧାରା ୬୭ (ଏ) ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଘଟଣା ପଛରେ କିଏ ରହିଛି ତାହା ଜାଣିବା ପାଇଁ ଚାଉଳିଆଗଞ୍ଜ ଥାନାଧିକାରୀ କ୍ରାଇମବ୍ରାଞ୍ଚର ସହଯୋଗ ଲୋଡ଼ିଛନ୍ତି । ତେବେ ଏଥିରେ କୌଣସି ସ୍କୁଲ ପିଲାର ହାତ ଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି ।

hiranchal ad1
Leave A Reply

Your email address will not be published.

eighteen + 18 =