ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାର୍ଯ୍ୟକ୍ରମର ସମୀକ୍ଷା

0 70

ପାରଳାଖେମୁଣ୍ଡି: ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମିଳନୀ କକ୍ଷ-୧ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତ ସମିତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ହେଲ୍ପ ଏ ଚାଇଲଡ଼ ଅଫ୍‌ ଇଣ୍ଡିଆ, ଜନ କଲ୍ୟାଣ ପ୍ରତିଷ୍ଠାନ, ଆକ୍ସନ-ଏଡ଼୍‌, ୟୁ.ଏନ୍‌.ଏଫ୍‌.ପି.ଏ, ଚାଇଲଡ଼ଲାଇନ୍‌ ଯଥା ଆଇ.ଏସ୍‌.ଆର୍‌.ଡ଼ି, ପ୍ରଭା ଏବଂ ସି.ସି.ଡ଼ବ୍ଲ୍ୟୁ.ଡ଼ି, ୱାନ୍‌ ଷ୍ଟପ୍‌ ସେଣ୍ଟର, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜିକା ପ୍ରମୁଖ ଯୋଗ ଦେଇଥିଲେ ।
ଆସନ୍ତା ଡ଼ିସେମ୍ବର ସୁଦ୍ଧା ଜିଲ୍ଲାକୁ କିପରି ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବ ସେଥିପ୍ରତି ଧ୍ୟାନ ଦେବା ଲାଗି ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ୱାନ ଦେବା ସହ ଏଥିପ୍ରତି ଥିବା ନିର୍ଦ୍ଦେଶାବଳୀକୁ ସମସ୍ତେ ଗୁରୁତର ସହ ନେଇ ତାଙ୍କ ଅଞ୍ଚଳକୁ ବାଲ୍ୟ ବିବାହ ଘୋଷଣା କରିବାରେ ସହାୟକ ହେବେ ବୋଲି ମତବ୍ୟକ୍ତ କରିଥିଲେ ।
ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ନୂତନ ନିର୍ଦ୍ଦେଶାବଳୀକୁ ଆକ୍ସନ-ଏଡ଼ ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହର ସମସ୍ତଙ୍କ ଆଗରେ ଆଲୋଚନା କରିଥିଲେ ।
ଏଥିରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ସେରଙ୍ଗର ସ୍ୱତନ୍ତ୍ର ଅଧିକାରୀ ଜ୍ୟୋତିକୃଷ୍ଣ ବେହେରା ଯୋଗଦେଇ ପି.ଭି.ଟି.ଜି ଅଞ୍ଚଳରେ ଆସୁଥିବା ତିନିଗୋଟି ପଞ୍ଚାୟତ କିପରି ଏହି ମାସ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ସହ ବିଳମ୍ବ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନକୁ ତ୍ୱରାନ୍ୱିତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରିର ସଂଯୋଜକ ଶ୍ରୀଯୁକ୍ତ ସଚିତ୍ର କୁମାର ବେହେରା ଯୋଗଦେଇ ମୋହନାରେ ଥିବା ପି.ଭି.ଟି.ଜି ଅଞ୍ଚଳକୁ ବାଲ୍ୟବିବାହରୁ କିପରି ମୁକ୍ତ କରାଯିବ ତାହାରି ଦାୟିତ୍ୱ ନେଇଥିଲେ ।
ଏହି ଅବସରରେ ଜିଲ୍ଲାରେ ଥିବା ୧୬୧୯ ଗ୍ରାମରୁ ଆଜିସୁଦ୍ଧା ୫୦୨ ଗ୍ରାମ ବାଲ୍ୟବିବାହ ମୁକ୍ତ ହୋଇସାରିଥିବା ବେଳେ ଅନ୍ୟ ୧୧୧୭ ଗୋଟି ଗ୍ରାମକୁ ଆସନ୍ତା ଡ଼ିସେମ୍ବର ସୁଦ୍ଧା କିପରି ବାଲ୍ୟବିବାହ ମୁକ୍ତ କରାଯିବ ତାହାରି ଯୋଜନା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥାପନ କରିଥିଲେ ।
ଜିଲ୍ଲା ସ୍ତରରେ ପରିଚାଳନା ଗ୍ରୁପ୍‌ ପ୍ରସ୍ତୁତ କରି ଏହାକୁ ନିୟମିତ ଭାବେ ତଦାରଖ କରିବାର ନିଷ୍ପତ୍ତି ନିଆଯାଇଥିଲା ବେଳେ ସିଡ଼ିପିଓ ଏବଂ ବି.ଇ.ଓ ଙ୍କ ସ୍ତରରେ ମଧ୍ୟ ବିଭିନ୍ନ ୱାଟସଏପ୍‌ ଗ୍ରୁପ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଜିଲ୍ଲାରେ ଥିବା ଅନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଆଗାମୀ ଦିନରେ ହେବାକୁ ଥିବା ସମୀକ୍ଷା ବୈଠକରେ ମିଶନ୍‌ ଶକ୍ତି, ଓଡ଼ିଶା ଜିବୀକା ମିଶନ୍‌ ଏବଂ ଅର୍ବାନ୍‌ ଲୋକାଲ୍‌ ବଡ଼ିକୁ ଏହି ଅଭିଯାନରେ ସଂପୃକ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ।
ରାଜ୍ୟ ସରକାରଙ୍କ ଦ୍ୱାରା ଗାଁ କଲ୍ୟାଣ ସମିତି କୁ ଗ୍ରାମ ଶିଶୁ ସୁରକ୍ଷା ଏବଂ କଲ୍ୟାଣ ସମିତି ଭାବେ ଘୋଷିତ ହୋଇଥିବା ବିଷୟକୁ ଚିଠି ମାଧ୍ୟମରେ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା ।
ଗାଁ କଲ୍ୟାଣ ସମିତିର ପାଣ୍ଠିକୁ କିଛି ମାତ୍ରାରେ ବାଲ୍ୟବିବାହ ମୁକ୍ତ ଗ୍ରାମ କରିବାରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହେଲା ଯାହାକି ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ହେଲାପରେ ସମସ୍ତ କାର୍ଯ୍ୟାଳୟକୁ ଜଣାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଗଲା ।
ଅନ୍ୟମାନଙ୍କ ମଧ୍ୟରେ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ କେ.ସୁନିତା, ୟୁଏନ୍‌ଏଫ୍ପିଏ ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଅରୁଣାର ଜିଲ୍ଲା ପ୍ରତିନିଧି ସୁ୍‌ଶ୍ରୀ ସୁଶ୍ମିତା ଭୋଇ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଚାଇଲଡ଼ଲାଇନ୍‌, ଏକ୍ସନ ଏଡ୍‌ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତା ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 12 =