କରୋନା ମାଡ଼ ସମ୍ଭାଳିବାକୁ ଆର୍‌ବିଆଇର ୫୦ ହଜାର କୋଟିର ପ୍ୟାକେଜ୍

0 187

ଭୁବନେଶ୍ୱର : ସମଗ୍ର ବିଶ୍ୱ କୋଭିଡ୍‌-୧୯ କରୋନା ମହାମାରୀର କରାଳ କାୟାରେ ପ୍ରଭାବିତ ହୋଇଥିବା ବେଳେ ଆମ ଦେଶ ମଧ୍ୟ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିଲେ ମଧ୍ୟ ଜି-୨୦ ରାଷ୍ଟ୍ରମାନଙ୍କ ଭିତରେ ଭାରତର ସ୍ଥିତି ଭଲ ରହିଛି । ଆଇଏମ୍‌ଏଫ୍‌ର ମତ ଅନୁଯାୟୀ ଦେଶର ଅର୍ଥନୈତିକ ବିକାଶ ୧.୯ ପ୍ରତିଶତରେ ସୀମିତ ରହିବ ବୋଲି କୁହାଯାଇଥିଲେ ମଧ୍ୟ ଏହାକୁ ସମ୍ଭାଳିବାରେ ଆମେ ସମର୍ଥ ହେବୁ । ସେ କହିଛନ୍ତି, ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କିଂ, ଅଣବ୍ୟାଙ୍କିଂ ଓ ହାଉସିଂ ଫାଇନାନ୍ସିଂ କ୍ଷେତ୍ରକୁ ୫୦ ହଜାର କୋଟି ଟଙ୍କାର ସହାୟତା ଦେବ । ଏଥିରୁ ୨୫ ହଜାର କୋଟି ନାବାର୍ଡ଼, ୧୫ ହଜାର କୋଟି ସିଡିବି ଏବଂ ୧୦ ହଜାର କୋଟି ଏମ୍‌ଏସ୍‌ବିକୁ ପ୍ରଦାନ କରାଯିବ । ଯାହା କରୋନା ମାଡ଼କୁ ସମ୍ଭାଳିବାରେ ସକ୍ଷମ ହୋଇପାରିବ । ଏହି ସମୟ ମଧ୍ୟରେ ଏନ୍‌ପିଏ ଲାଗୁ ହେବ ନାହିଁ । ୯୦ ଦିନ ସୁଧ ପୈଠ ନକରିଲେ ବା ଋଣ ନଶୁଝିଲେ ସେ ବାବଦରେ ସରକାର ନନ୍‌ଫର୍ମିଂ ଆସେଟ୍ ଭାବେ ଗ୍ରହଣ କରିନେବେ । କିନ୍ତୁ ଏବେ ସରକାରଙ୍କ ପକ୍ଷରୁ ତିନି ମାସ ମୋରାଟୋରିୟମ୍ ଲାଗୁ କରାଯାଇଥିବାରୁ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଂଁ । ସେ ପୁଣି କହିଲେ ଏବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍‌କୁ ୪.୦ରେ ସ୍ଥିର ରଖାଯାଇଛି । ରିଜର୍ଭ ରେପୋ ରେଟ୍‌ରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରାଯାଇଛି । ଏହାଦ୍ୱାରା ରିଜର୍ଭର ରେପୋ ରେଟ୍ ୩.୭୫କୁ ଖସି ଆସିଛି । ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ଏସବୁ ନିଷ୍ପତ୍ତି ନେଇଥିବାରୁ ବ୍ୟାଙ୍କଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ଅର୍ଥ ରହିବ । ଗ୍ରାହକଙ୍କୁ କମ୍ ରେଟ୍‌ରେ ଋଣ ପ୍ରଦାନ କରାଯାଇପାରିବ । ସେ ପୁଣି କହିଲେ ଅର୍ଥନୀତିକୁ ସଜାଡ଼ିବା ପାଇଁ ଆର୍‌ବିଆଇ ଯଥାସମ୍ଭବ ଉଦ୍ୟମ କରିଛି । ଏଥିପାଇଁ ବ୍ୟାଙ୍କିଂ ଓ ଅଣବ୍ୟାଙ୍କିଂ କ୍ଷେତ୍ରରେ ପ୍ରଚୁର ଆର୍ଥିକ କାରବାର ପାଇଁ ପ୍ରୋତ୍ସାହନ ସୃଷ୍ଟି କରାଯାଇଛି । ସେହିଭଳି, ରିଜର୍ଭ ବ୍ୟାଙ୍କରେ ବ୍ୟାଙ୍କମାନଙ୍କ କାରବାରୀ ଜମା ଅନୁପାତ ଯାହାକୁ ଲିକ୍ୟୁଡିଟି କଭରେଜ୍ ରେସିଓ କୁହାଯାଏ ତାହାକୁ ୮୦ ପ୍ରତିଶତକୁ ଖସାଇ ଦିଆଯାଇଛି । ଏହି ଅନୁପାତକୁ ବ୍ୟାଙ୍କଗୁଡ଼ିକ ଆସନ୍ତା ବର୍ଷ ଅପ୍ରେଲ୍ ମାସ ବେଳକୁ ସ୍ଥିର କରିବେ ବୋଲି ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ । ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ ଏହି ବିପତ୍ତି ସମୟରେ ନିଜ ଲାଭାଂଶ (ଡିଭିଡେଣ୍ଟ)ର କିଛି ଭାଗକୁ ସରକାରଙ୍କୁ ଦେବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ସରକାରଙ୍କୁ କୌଣସି ଡିଭିଡେଣ୍ଟ ଦେବାର ଆବଶ୍ୟକତା ନାହିଁ ।

hiranchal ad1
Leave A Reply

Your email address will not be published.

three × two =