ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

0 62

hiring

ପୁରୀ:ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାଇ ଆଜି ରାତି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ । ତାପର ଦିନ ଅର୍ଥାତ ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ଭକ୍ତମାନେ ନିଜ ଚର୍ମଚକ୍ଷୁରେ ଦେଖିବାର ସୁଯୋଗ ପାଇପାରିବେ । ସେପଟେ ଆଜି ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ହୋଇ ସନ୍ଧ୍ୟାଧୂପ ସମାପନ ହେବାପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ । ଏହାପରେ ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ଏହି ବେଶ ପାଇଁ କାରିଗର ମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେଶ ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଭୁବେନେଶ୍ୱର ଜଣେ ଭକ୍ତ ମଧ୍ୟ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆବଶ୍ୟକୀୟ ପଦ୍ମଫୁଲ ଶ୍ରୀମନ୍ଦିରକୁ ଯାଇ ଗାରଦରେ ଯୋଗାଇ ଦେଉଛନ୍ତି | ଭକ୍ତ ମନୋହର ଦାଶର ମନୋବାଞ୍ଛା ପୂରଣ ପାଇଁ ତେଵେ ଏହି ଦୁର୍ଲଭ ମହାପ୍ରଭୁ ମଉଳା ଫୁଲରେ ଏହି ବେଶ ଧାରଣ କରିଥାନ୍ତି | ସପ୍ତଦଶ ସାଧାରଣ ଶତାବ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ | ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୂପ ଏହି ପଦ୍ମବେଶ ଅନୁଷ୍ଠିତ ହୋଇଆସୁଛି | କିରୀଟ, ଚୂଳ, ହୃଦପଦକ, କରପଲବ ଓ ଶ୍ରୀମୁଖ ପଦ୍ମଫୁଲରେ ବିଭୂଷିତ ହେବେ ମହାପ୍ରଭୁ | ବେଶ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।

hiranchal ad1
Leave A Reply

Your email address will not be published.

seven + thirteen =