ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରଣ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କ ଆକାଉଣ୍ଟର ଡିସ୍ପ୍ଲେ ଫଟୋରେ ଏହାର ଏକ ଫଟୋକୁ ସ୍ଥାନିତ କରିଛନ୍ତି। ଏହାସହିତ ଜାତୀୟ ପତାକା ମଧ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ତାଙ୍କ ବାର୍ତ୍ତାରେ ଭାରତୀୟ ସେନାବାହିନୀକୁ ଏହାର ଅତୁଳନୀୟ ସାହସ ପାଇଁ ପ୍ରଶଂସା କରିଛନ୍ତି। ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ହୋଇଥିବା ବର୍ବରତାର ଉଚିତ ଜବାବ ଦେଇଛନ୍ତି। ପୂରା ଦେଶ ଆମ ସୈନ୍ୟଙ୍କ ଅଦମ୍ୟ ସାହସକୁ ପ୍ରଶଂସା କରୁଛି ବୋଲି କହିଛନ୍ତି। ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଜବାବ ଓ ଜାତୀୟ ସୁରକ୍ଷା ରକ୍ଷା କରିବାକୁ ଅଟଳ ପ୍ରତିବଦ୍ଧତାକୁ ସୂଚାଉଛି। ଆତଙ୍କବାଦକୁ ପରାସ୍ତ କରିବା ଓ ଏହାର ସମସ୍ତ ନେଟୱର୍କକୁ ନଷ୍ଟ କରିବାକୁ ଆମେ ଦୃଢ ପ୍ରତିଶ୍ରୁତିବଦ୍ଧ ଅଛୁ ବୋଲି ବାର୍ତ୍ତା ଦେଇଛନ୍ତି।
ଭାରତୀୟ ବାୟୁସେନା ମଧ୍ୟ ଗତବର୍ଷ ପାକିସ୍ତାନରେ କିପରି ଆତଙ୍କବାଦୀ ଭିତ୍ତିଭୂମି ଧ୍ବଂସ କରିଥିଲା ତାହାର ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛି। ୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମରେ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଧର୍ମ ପଚାରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାର ଜବାବରେ ଭାରତ ପକ୍ଷରୁ ସେହିବର୍ଷ ମେ ମାସ ୭ ତାରିଖ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ୧୦୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।
