୮ କୋଟି ଠକେଇ ମାମଲାରେ ଡେପୁଟି ବ୍ୟାଙ୍କ ମ୍ୟାନେଜର ଗିରଫ

0 425

ଫୁଲବାଣୀ: ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ହୋଇଥିବା ଏକ ଆଠ କୋଟି ଟଙ୍କାର ଠକେଇ ମାମଲାରେ ଆଜି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ଅଧିକାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ତଥା ଫିଲଡ ଅଫିସର ଆଶୁତୋଷ ଆଚାର୍ଯ୍ୟ । ଇଓଡବ୍ଲ୍ୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧/୨୨ ମସିହାରେ ଆଶୁତୋଷ ନିଜ ପଦବୀର ଅନୈତିକ ଫାଇଦା ଉଠାଇ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପ୍ରାୟ ୮ କୋଟି ଟଙ୍କାର ଋଣ ବେଆଇନ ଭାବେ ମଞ୍ଜୁର କରିଥିଲେ । ପରେ ଏ ସମସ୍ତ ଋଣ ଅର୍ଥକୁ ସେ ନିଜ ସମ୍ପର୍କୀୟମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିଲେ । ସବିଶେଷ ତଥ୍ୟ ଅନୁଯାୟୀ, ଅଭିଯୁକ୍ତ ଆଶୁତୋଷ ୫୯ ଜଣଙ୍କ ନାମରେ ସରକାରୀ ଚାକିରିଆମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ, ଯାହାର ପରିମାଣ ଥିଲା ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା ସେହିଭଳି, ସେ ୨୬ ଜଣଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ । ଏହିଭଳି ଭାବେ ସମୁଦାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇ ଥିଲା, ଯାହାକି ପରବର୍ତ୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ତେବେ ଋଣ ମଞ୍ଜୁର କରାଯାଇଥିବା ବ୍ୟକ୍ତିମାନେ ସରକାରୀ ଚାକିରିଆ କିମ୍ବା ପେନସନ ଭୋଗୀ ନଥିବା ପରେ ଜଣା ପଡିଥିଲା । ଏ ନେଇ ଅଭିଯୋଗ ହେବା ପରେ ଆଶୁତୋଷଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ।ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାରେ ଏ ନେଇ ୧୪/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା । ତଦନ୍ତରୁ ଘଟଣାର ସତ୍ୟତା ଜଣା ପଡିବା ପରେ ଆଜି ଅଭିଯୁକ୍ତ ଆଶୁତୋଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

hiring

hiranchal ad1
Leave A Reply

Your email address will not be published.

four × three =