ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହା ସଙ୍ଘ ତରଫରୁ ଶ୍ରେଷ୍ଠ ଲେଖକ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ସଂଘର ତେଇଶି ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଡ଼ଃ ମହାପାତ୍ରଙ୍କୁ ପୁରସ୍କାର, ମାନପତ୍ର, ଉତ୍ତରୀୟ ଆଦି ପ୍ରଦାନ କରିଥିଲେ । ସାହିତ୍ୟିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ପ୍ରସନ୍ନ କୁମାର ପାଟଶାଣୀ, ରାଜନେତା ସନ୍ତୋଷ କୁମାର ଜେନା, ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସମ୍ପାଦକ ଅଧ୍ୟାପକ କଣ୍ଡୁରୀ ଚରଣ ଦାଶ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଡ଼ଃ ମହାପାତ୍ରଙ୍କ ଆଉ ଏକ ଆଧ୍ୟାତ୍ମିକ ପୁସ୍ତକ “ତତ୍ତ୍ୱ ବୋଧ ଓ ଆତ୍ମବୋଧ’ ଏବଂ ବିଶିଷ୍ଟ ସାହିତ୍ୟିକ ଓ ପ୍ରଶାସକ ଇଂ. ଅଜୟ କୁମାର ପଣ୍ଡାଙ୍କ କବିତା ସଂକଳନ “ଆକାଶର ରଙ୍ଗ’ ଲୋକାର୍ପିତ ହୋଇଥିଲା । ଫୁଲବାଣୀ ସରକାରୀ ଆଇଟିଆଇରେ ତାଲିମପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିବା ଡ଼ଃ ମହାପାତ୍ର ଜଣେ ସୁସାହିତ୍ୟିକ ଓ ସଂଗଠକ । ତାଙ୍କର ତେଇଶିରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇ ସାରିଥିଲା ବେଳେ କମଳା ପ୍ରକାଶିନୀ ନାମରେ ନିଜର ଏକ ପୁସ୍ତକ ପ୍ରକାଶିନୀ ରହିଛି । ତାଙ୍କର ଏହି ସଫଳତା ପାଇଁ କନ୍ଧମାଳର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।