ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଜିଲ୍ଲା କୋଷାଗାରରୁ ବାହାରିଲେ ୧୦୮ ଭରିର ସୁନାନାଗ

0 89

ସୁବର୍ଣ୍ଣପୁର : ଚଳିତ ବର୍ଷ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସୁବର୍ଣ୍ଣପୁର ସହରରେ ବହୁ ଆଡମ୍ବରରେ ଆୟୋଜିତ ହୋଉଛି । ୨ରୁ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରା ନେଇ ସହର ଚଳଚଞ୍ଚଳ ହୋଇଉଠିଛି । ପ୍ରତିବର୍ଷ ପରି ୧୦୮ ଭରିର ସୁନାନାଗ ଦର୍ଶନ ଉକ୍ତ ଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି । ଏହି ସୁନା ନାଗ ମହାରାଜ ବୀରମିତ୍ର ସିଂଦେଓ ସମୟରେ ନିର୍ମାଣ ହୋଇଥିଲା । ଏହି ଯାତ୍ରାରେ ଇଷ୍ଟ ଦେବସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ଭାବରେ ବାବା ଚନ୍ଦ୍ରଶେଖର ପ୍ରତିନିଧି ସ୍ୱରୂପ ଭାବରେ ସୁନାନାଗ ଅଂଶଗ୍ରହଣ କରନ୍ତି । ଗତକାଲି ସୋନପୁର କୋଷାଗାରରୁ ସୁନାନାଗ ଓ ରୂପା ସିଂହାସନ ବାହାର କରାଯାଇଛି । ସ୍ଥାନୀୟ ଚନ୍ଦ୍ରଶେଖର ମନ୍ଦିରରେ ସୁନା ନାଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରଖାଯାଇଛି । ଆଇନ ଶୃଙ୍ଗଳା ପାଇଁ ପୋଲିସ ମୁତୟନ କରି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବକୁ ସମସ୍ତ ରୀତିନୀତି ସହ ପାଳନ ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମର ପ୍ରସ୍ତୁତି ସରିଛି । ବରପିତାମାତାଙ୍କ ପ୍ରତିନିଧି ଭାବରେ ବଡ଼ବଜାର ଦୁର୍ଗାମଣ୍ଡପ ସ୍ଥିତ ସନ୍ତୋଷ କୁମାର ମେହେର ଓ ଜ୍ୟୋସ୍ନାମୟୀ ମେହେର ଦାୟିତ୍ୱ ନିର୍ବାହ କରୁଥିବା ବେଳେ କନ୍ୟାପିତା ମାତାଙ୍କ ପ୍ରତିନିଧି ସ୍ୱରୂପରେ ଭଗବତି ପ୍ଲଟସ୍ଥିତ କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ନେଇ ବଡ ବଜାରର କୈଳାସପୁରୀ ଓ ଭଗବତୀ ପ୍ଲଟସ୍ଥିତ ହିମାଦ୍ରୀନଗରୀ ଉତ୍ସବ ମୁଖରିତ ହୋଇଛି । ଗଡ଼ଜାତ ସମୟର ଏହି ପୁରାତନ ପ୍ରସିଦ୍ଧ ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ଯାତ୍ରାରେ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀ ବିବାହ ଉତ୍ସବରେ ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁ ବିଦ୍ୟମାନ ରହନ୍ତି । ଏ ସମସ୍ତ ଦେବାଦେବୀଙ୍କର ଏହି ବିରଳ ଦୃଶ୍ୟକୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଥିବାହେତୁ ଏସମୟରେ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଗୁରୁବାର ଦିନ କରେଇବସା ସରିଥିଲା ବେଳେ ଦେବନିମନ୍ତ୍ରଣ, ମାଟି ପକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୩ତାରିଖରେ ଅଳଙ୍କାର ଧାରଣ, ୪ତାରିଖରେ ବରାନୁଗମନ ଓ ରାତ୍ର ୧.୧୦ ରୁ ରାତ୍ର୨.୧୦ମଧ୍ୟରେ ଶିବପାର୍ବତୀଙ୍କର ପାଣିଗ୍ରହଣ ଅନୁଷ୍ଠିତ ହେବ ଓ ତା’ପରଦିନ ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

three × two =