ଆଠମଲ୍ଲିକ:ରାଜ୍ୟର ଚାଲିଥିବା ଡବଲ ଇଞ୍ଜିନ ସରକାର ସବୁବେଳେ କହୁଛି ଆମେ ଚାଷୀଙ୍କ ସରକାର। କିନ୍ତୁ ତାହା କେବଳ କଥାରେ ସୀମିତ ଭଳି ଲାଗୁଛି । ଆଜିବି ବହୁ ଅଞ୍ଚଳରେ ଚାଷୀମାନେ ନିଜର ହକ୍ ପାଇଁ ସଂଘର୍ଷ କରୁଛନ୍ତି । କେଉଁଠି ଚାଷ ଜମିକୁ ପାଣି ମିଳୁନଥିବା ବେଳେ ଆଉ କେଉଁଠି ଜଳସେଚନର ବ୍ୟବସ୍ଥା ଥିଲେ ମଧ୍ୟ କେନାଲଗୁଡିକର ରକ୍ଷଣବେକ୍ଷଣ ଅଭାବରୁ ଜମିକୁ ପାଣି ପହଞ୍ଚି ପାରୁନାହିଁ । ଆଉ କେତେକ ଜାଗାରେ ସାରାର ଅଭାବବିକ୍ରୀ ଓ କଳାବଜାରୀ ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏମିତି ଅସୁବିଧା ଭୋଗୁଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ କାଦପଡା ଗ୍ରାମର ଚାଷୀ । ଏହି ଗ୍ରାମର 99 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । ଏବେ ଗ୍ରାମରେ ତଳି ରୁଆ କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରଭୁ ଇନ୍ଦ୍ର ଦେବତାଙ୍କ ଦୟାରୁ ଏବର୍ଷ ଭଲ ବର୍ଷା ମଧ୍ୟ ହୋଇଛି । ଏହାକୁ ନେଇ ଚାଷୀକୂଳ ଉତ୍ସାହିତ ଥିବା ବେଳେ ପୋଖରୀରୁ ଆସିଥିବା କେନାଲ ବାରମ୍ବାର ଭାଙ୍ଗି ଯାଉଥିବାରୁ ତଳମୁଣ୍ଡରେ ସଠିକ୍ ଭାବରେ ପାଣି ପହଞ୍ଚି ପାରୁନାହିଁ । ଏଣୁ ଚାଷୀକୂଳ ଚିନ୍ତାରେ ଥିବା ଜଣାପଡିଛି । ପୂର୍ବ ଲଘୁଚାପ ବର୍ଷାରେ କେନାଲ ଭାଙ୍ଗିଥିବା ବେଳେ ଗ୍ରାମର କେତେକ ଉତ୍ସାହୀ ଯୁବକ ଏହାକୁ ମରାମତି କରିଥିଲେ । କିନ୍ତୁ ପୁଣିଥରେ ଏହି କେନାଲ ଭାଙ୍ଗିଯାଇଛି । ଫଳରେ କେତେକ ଚାଷଜମି ନଷ୍ଟ ହେବା ସହ ତଳମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ । ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ଏ ଦିଗରେ ଆଠମଲ୍ଲିକ ଜଳସେଚନ ବିଭାଗ କିମ୍ବା ସ୍ଥାନୀୟ ସରପଞ୍ଚ ଦୃଷ୍ଟି ଦେଇ କେନାଲକୁ ସଠିକ ଢଙ୍ଗରେ ମରାମତି କରିବାକୁ ଚାଷୀମାନେ ଦାବି କରିଛନ୍ତି ।
