ରାହଗିରି ମାଧ୍ୟମରେ ଏଥର ସୁବର୍ଣ୍ଣପୁରରେ ପାଳିତ ହେବ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ

0 57

ସୁବର୍ଣ୍ଣପୁର : ଓଡ଼ିଶା ଦିବସ ପାଳନ ସହିତ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠାର ୩୦ତମ ବର୍ଷ ପାଳନ ଉତ୍ସବ ମହାସମାରୋହରେ ୧ ଏପ୍ରିଲ ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ୍‌ ମିଞ୍ଜ୍‌, ଜିଲ୍ଲା ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର , ସୋନପୁର ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଏହାକୁ ସ୍ମୃତି ବିଜଡିତ କରିବା ପାଇଁ ତଥା ବହୁ ସଂଖ୍ୟାରେ ଜନସାଧାରଣଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ରାହଗିରି ମାଧ୍ୟମରେ ରାଜରାସ୍ତାରେ ଏହି ଉତ୍ସବ ପାଳନ କରାଯିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରସ୍ତାବ ଦେଇଥିଲେ । ଉକ୍ତ ଦିନ ପ୍ରଭାତରୁ ସହରରେ ରାମଧୁନ ସହିତ ପ୍ରଭାତଫେରି ହେବ ଓ ସକାଳ ୭ ଘଣ୍ଟା ସମୟରେ ସହରସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନ ତଥା ନାଗରିକ ସମାଜ ଓ ଜନସାଧାରଣ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ଅପରାହ୍ନ ୪ ଘଣ୍ଟା ସମୟରୁ ଆମ୍ବେଦକର ଛକଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ରାହଗିରି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, କଳାକାର ବର୍ଗ, ଜନସାଧାରଣ ଯୋଗଦାନ କରିବେ ଓ ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ନୃତ୍ୟ, ସଙ୍ଗୀତ, କୌତୁକ ପୋଷାକ, ଯୋଗାସନ ଇତ୍ୟାଦି ପ୍ରଦର୍ଶନ କରିବେ । ଆଗ୍ରହୀ ଛାତ୍ରଛାତ୍ରୀମାନେ ମିସ୍‌ ଏବଂ ମିଷ୍ଟର ସୁବର୍ଣ୍ଣପୁର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏହା ସହିତ ସମସ୍ତ ଜନସାଧାରଣ ତଥା ମହିଳାମାନେ ରଙ୍ଗୋଲି, ଚିତ୍ରାଙ୍କନ, ମେହେନ୍ଦୀ , ଫଟୋଗ୍ରାଫି, କଳା ପ୍ରଦର୍ଶନ, ମ୍ୟାଜିକ୍‌ ଶୋ , ଟେରାକୋଟା ମାଧ୍ୟମରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ । ଜିଲ୍ଲା ସ୍ତରୀୟ ସଭା ସନ୍ଧ୍ୟା ୦୭ ଘଣ୍ଟା ସମୟରେ ବ୍ଳକଛକରେ ଅନୁଷ୍ଠିତ ହେବ । ଏଥିରେ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାର ସ୍ୱନାମଧନ୍ୟ କଳାକାର ତଥା ଛାତ୍ରଛାତ୍ରୀମାନେ ଏଠାରେ ଦେଶାତ୍ମବୋଧକ ନୃତ୍ୟ ତଥା ଲୋକ ନୃତ୍ୟ, ଓଡ଼ିଆ ସଙ୍ଗୀତ, ଲୋକ ଗୀତ ପ୍ରଭୁତି ପରିବେଷଣ କରିବେ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ତଥା ବ୍ୟବସାୟିକ ପ୍ରତିଷ୍ଠାନ ୩୧ ମାର୍ଚ୍ଚ ଏବଂ ୧ ଏପ୍ରିଲ ରାତିରେ ନିଜର କାର୍ଯ୍ୟାଳୟ ତଥା ବ୍ୟବସାୟ କେନ୍ଦ୍ର, ଦୋକାନ ବଜାର ରଙ୍ଗୀନ୍‌ ଆଲୋକରେ ସଜ୍ଜିତ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏହି ରାହଗିରି କାର୍ଯ୍ୟକ୍ରମ ତଥା ସାଧାରଣ ସଭାରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦାନ କରି ଏହାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରାଯିବା ସହିତ ଜିଲ୍ଲାର ସବୁବର୍ଗର ଲୋକ ଯେପରି ସାମିଲ ହୋଇ ଉତ୍ସବକୁ ଖୁବ ଯାକ ଜମକରେ ପାଳନ କରିବେ ସେଥି ନିମନ୍ତେ ଜିଲ୍ଲାପାଳ ସୁବର୍ଣ୍ଣପୁର ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 − two =